ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲା,ପୌରାଞ୍ଚଳ ଏବଂ ଡାକ୍ତରଖାନା ସ୍ତରରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଆଭାସି ମାଧ୍ୟମରେ ବିଭିନ୍ନ ଜିଲ୍ଲାପାଳ ପୌର ଆୟୁକ୍ତ, ସରକାରୀ ଏବଂ ଘରୋଇ ଡାକ୍ତରଖାନା ଗୁଡ଼ିକ ସହ ସିଧାସଳଖ ଆଲୋଚନା କରି ସପ୍ତାହକ ମଧ୍ୟରେ ସମସ୍ତ ଶଯ୍ୟା, ସ୍ବତନ୍ତ୍ର ଯତ୍ନ କୋଠରି, ରୋଗୀବୁହା ଯାନ ଆଦି ପୂର୍ଣ୍ଣ ପ୍ରସ୍ତୁତ କରିବା ସହ ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଚିକିତ୍ସା ଦେବା ନିମନ୍ତେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ସହାୟକଙ୍କୁ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲା, ପୌରାଞ୍ଚଳ ସମେତ ରାଜ୍ୟସ୍ତରରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ରାପିଡ୍ ରେସ୍ପନ୍ସ୍ ଟିମ୍, କଲ୍ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍ସ୍ ଆଦି ସଠିକ୍ ଭାବେ ନିୟୋଜିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ତୁରନ୍ତ ପରୀକ୍ଷଣ, ଟ୍ରାକିଂ ଏବଂ ଚିକିତ୍ସା ନିମନ୍ତେ ସମୁଦାୟ ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଆଲୋଚନାରେ ସମ୍, କିମ୍ସ୍, ହାଇଟେକ୍, ଆଦିତ୍ୟ-ଅଶ୍ୱନୀ ଆଦି ବଡ଼ ବଡ଼ ଡାକ୍ତରଖାନାର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ କେଉଁ ସ୍ଥାନରେ ସେମାନେ ତୁରନ୍ତ ଡାକ୍ତରଖାନା କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଜଣାଇଥିଲେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୋଳ, ତାଳଚେର, ପୁରୀ, ଗଞ୍ଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗୀର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କରୋନା ଡାକ୍ତରଖାନା କାର୍ଯ୍ୟ କରିବ। ଆକ୍ରାନ୍ତଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍ସ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ। ଏଥିପାଇଁ ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଜଣାଇଥିଲେ ଯେ କରୋନାର ୨ୟ ଲହରରେ ସମୁଦାୟ ୫୫ଟି ସ୍ୱତନ୍ତ୍ର କରୋନା ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିଲା। ତା’ଛଡ଼ା ସରକାରୀ ଡାକ୍ତରଖାନାରେ କରୋନା ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ୨ୟ ଲହର ସମୟରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର, କରୋନା ଯତ୍ନ କେନ୍ଦ୍ର, ସ୍ୱତନ୍ତ୍ର କରୋନା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କରୋନା ଡାକ୍ତରଖାନା ଆଦିରେ ପ୍ରାୟ ୯୪,୦୦୦ ଶଯ୍ୟା ପ୍ରସ୍ତୁତ କରାଯାଇଥିଲା। ଆଇ.ସି.ୟୁ. ଏବଂ ଏଚ୍.ଡି.ୟୁ.ଗୁଡ଼ିକରେ ପ୍ରାୟ ୩୫୦୦ ଶଯ୍ୟା ପ୍ରସ୍ତୁତ କରାଯାଇଥିଲା ଏବଂ ୧୧୦୨ଟି ଜୀବନ ରକ୍ଷାକାରୀ ଯନ୍ତ୍ର(ଭେଣ୍ଟିଲେଟର) କାର୍ଯ୍ୟକ୍ଷମ କରାଯାଇଥିଲା। ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା, ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
More Stories
ଶ୍ରୀମନ୍ଦିର ବାନାରେ ଶୂନ୍ୟଗଣ୍ଠି…..
ଗୃହ କମିଟି କଠନ ଦାବି କଲା କଂଗ୍ରେସ…..
ବିଶିଷ୍ଟ କବି ରମାକାନ୍ତ ରଥଙ୍କର ଶେଷକୃତ୍ୟ ସମ୍ପନ୍ନ…..