Report Card Odisha

| Daily Odia News

ପତ୍ନୀ ସହ ସନ୍ତାନର ଭରଣପୋଷଣ କରିବା ପାଇଁ ସ୍ୱାମୀ ବାଧ୍ୟ…..

ରିପୋର୍ଟ କାର୍ଡ / କଟକ

ବିବାହ ବନ୍ଧନରେ ଯଦି କୌଣସି ପୁରୁଷ ଥାଏ ତେବେ ସ୍ତ୍ରୀ ଆଉ ସନ୍ତାନର ଭରଣପୋଷଣ ଆଇନଗତ କର୍ତ୍ତବ୍ୟ। ଯେଉଁ ଦାୟିତ୍ୱରୁ ସ୍ୱାମୀ କେବେ ବି, କୌଣସି ବାଟରେ ବି ଖସିପାରିବ ନାହିଁ । ମାସିକ ଭରଣପୋଷଣ ସଂପର୍କିତ ଏକ ମାମଲାର ଶୁଣାଣି କରି ଏପରି ଏକ ରାୟ ଦେଇଛନ୍ତି କୋର୍ଟ । ଆଉ ପତ୍ନୀ ଓ ସନ୍ତାନକୁ ମାସକୁ ୫ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି । କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଭିଜିତ ପଲେଇ ଘରୋଇ ହିଂସା ସଂପର୍କିତ ଏକ ମାମଲାର ଶୁଣାଣି କରିଥିଲେ । ଯେଉଁଥିରେ ସେ ଜେଏମଏଫସି ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଅପିଲକୁ ଖାରଜ କରିଛନ୍ତି । ଆଉ ପତ୍ନୀ ଓ ସନ୍ତାନକୁ ମାସକୁ ୫ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ବାବଦରେ ସ୍ୱାମୀ ଟଙ୍କା ପ୍ରଦାନ କରିବେ ବୋଲି ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଅତିରିକ୍ତ ଦୌରା ଅଦାଲତ କାଏମ୍ ରଖିଛନ୍ତି । ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ୍ ଅନୁସାରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ ଯେ, ୨୦୧୯ ମସିହାରେ ତାଙ୍କ ବିବାହ ସମୟରେ ଦାବି ମୁତାବକ ତାଙ୍କ ପରିବାର ତରଫରୁ ତାଙ୍କୁ ଟଙ୍କା, ସୁନା ଅଳଙ୍କାର, ଆଉ ଆସବାବପତ୍ର ଦିଆଯାଇଥିଲା । ବୈବାହିକ ଜୀବନ ଚାଲିଥିବାବେଳେ, ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ହେଲେ ବିବାହର ମାତ୍ର ୧୪ ମାସ ପରେ, ପତ୍ନୀ ଓ ସନ୍ତାନକୁ ସ୍ୱାମୀ ନିର୍ଯାତନ ଦେବା ଆରମ୍ଭ କରିଥିଲେ । ପାରିବାରିକ ଅଶାନ୍ତି ଓ ନିର୍ଯାତନ ବିରୋଧରେ ମହିଳା ଜଣକ ଥାନାରେ ଏତଲା ଦେବା ପରେ ତାଙ୍କ ବାପାଙ୍କ ଘରକୁ ଚାଲିଯାଇଥିଲେ । ଆଉ ତାଙ୍କ ଭରଣପୋଷଣ ପାଇଁ ସ୍ୱାମୀ କିଛି ବି ସାହାର୍ଯ୍ୟ କରିନଥିବା ଅଭିଯୋଗ କରିଥିଲେ । ୨୦୧୧ ମସିହାରେ ଜେଏମଏଫସି ଅଦାଲତ ଏହି ମାମଲାର ଶୁଣାଣି କରି ସମ୍ପୃକ୍ତ ମହିଳା ଓ ତାଙ୍କ ନାବାଳକ ପୁଅଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ତାଙ୍କର ଭରଣପୋଷଣ ବାବଦକୁ ତାଙ୍କ ସ୍ୱାମୀ ମାସକୁ ୫ ହଜାର ଟଙ୍କା ଅନ୍ତରୀଣ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାପରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ୱାମୀ ଜଣକ ଦୌର ଅଦାଲତରେ ଅପିଲ କରିତିଲେ । ଯାହାର ଶୁଣାଣି କରି ଦୌରା ଜଜ୍ ଭରଣପୋଷଣକୁ ସ୍ୱାମୀଙ୍କ କର୍ତବ୍ୟ ବୋଲି ରାୟ ଶୁଣାଇଥିଲେ ।

Breaking News