ରିପୋର୍ଟ କାର୍ଡ / କଟକ
ପୋଲିସର ସୁରକ୍ଷା ବଳୟରେ କଟକ ସହର। ସହର ଜଗିଛନ୍ତି ୬୫ ପ୍ଲାଟୁନ୍ ସୁରକ୍ଷା କର୍ମୀ । ଏଥିରେ ସିଆରପିଏଫ୍, ବିଏସ୍ଏଫ ଭଳି କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ରାପିଡ୍ ଆକ୍ସନ୍ ଫୋର୍ସ ବି ମୁତୟନ ହୋଇଛନ୍ତି। ଛକ ଛକରେ ନାକାବନ୍ଦୀ, ଗଳିଗଳିରେ ବାଜି ଉଠୁଛି ସାଇରନ। ବୁଲୁଛି ଦଙ୍ଗା ନିୟନ୍ତ୍ରଣକାରୀ ବଜ୍ର ବାହନ। ଅମାନିଆଙ୍କୁ ସାବାଡ୍ କରୁଛି ପୋଲିସର ଲାଠି। ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ଗୋଡ଼ କାଢ଼ୁନାହାନ୍ତି ସହରବାସୀ। ଏହାରି ମଧ୍ୟରେ ସୁଧୁରୁଛି କଟକରେ ସ୍ଥିତି, ଫେରୁଛି ଶାନ୍ତି; ମାତ୍ର କଟକଣାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। ପୁଣି ୨୪ ଘଣ୍ଟା ଲାଗି ଇଣ୍ଟରନେଟ୍ ଓ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ କଟକଣାକୁ ବଢାଇ ଦିଆଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ଇଣ୍ଟରନେଟ୍ ସେବା ଉପରେ କଟକଣା ଥିବାବେଳେ ସ୍ଥିତିକୁ ଦେଖି ଏହାକୁ ଆଉ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୭ଟା ଯାଏ ବଢାଇ ଦିଆଯାଇଛି। ଅନ୍ୟପକ୍ଷରେ ରବିବାର ରାତି ୧୦ଟାରୁ ଲାଗୁ କରାଯାଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଏବେ ବଳବତ୍ତର ରହିଛି। ମଙ୍ଗଳବାର ପୂର୍ବାହ୍ଣ ୧୦ଟାରେ ଏହାର ଅବଧି ଶେଷହୋଇଛି ମଧ୍ୟ ପରିସ୍ଥିତି ଅନୁଧ୍ୟାନ ପରେ ପରବର୍ତ୍ତୀ କର୍ଫ୍ୟୁ ବୃଦ୍ଧି କିମ୍ବା ହଟାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ଭାଇଚାରାର ସହର କଟକରେ ଦୀର୍ଘ ୩୪ ବର୍ଷ ପରେ ଗୋଷ୍ଠୀହିଂସା ଜନିତ କର୍ଫ୍ୟୁ ଫେରିଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର ହୋଇଛି। ହିଂସାକାଣ୍ଡ ଘଟଣାରେ ୨୦୦ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିବାବେଳେ ୪୨ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ପୋଲିସ ଚୌଦ୍ବାର,ସିଡିଏ ଫେଜ୍-୨, ନନ୍ଦନକାନନ ଓ ବାରଙ୍ଗ ଥାନାରେ ଅଟକ ରଖିଛି। ଇତିମଧ୍ୟରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଓ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ଭିଡ଼ିଓ ଫୁଟେଜ ଆଧାରରେ ପୋଲିସ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..