Report Card Odisha

| Daily Odia News

ମେ’ ୧୦ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ତାତି ଅସମ୍ଭାଳ। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ ଗରମ କମିବା ନେଇ ପୂର୍ବାନୁମାନ କରିଛନ୍ତି ।ସୋମବାର ୫ ସହରର ତାପମାତ୍ରା ୪୨ ଉପରେ ରହିଛି । ଉପକୂଳ ଓଡ଼ିଶାର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଛି । ସ୍ଥଳଭାଗକୁ ଥଣ୍ଡା ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ତାପମାତ୍ରା କମୁଛି । ଆଗକୁ ଆହୁରି କମିବ । ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରୀ କମିବ ବୋଲି ସେ କହିଛନ୍ତି । ୩ ତାରିଖରୁ ୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ବୁଲେଟିନ୍‌ ଜାରି କରିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କୌଣସି ପୂର୍ବାନୁମାନ କରିନି । ୪ରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୬ ତାରିଖରେ ଏହା ଲଘୁଚାପ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । କିନ୍ତୁ ବାତ୍ୟା ହେବ କି ନା, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ହେବ ବୋଲି ପୂର୍ବାନୁମାନ ଦେଇଛନ୍ତି । ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବ ଓ ୧୦ତାରିଖରେ ସ୍ଥଳଭାଗ ଛୁଇଁବ । ଏକ ପାଣିପାଗ ମଡେଲ ଆଧାରରେ ସେ କହିଛନ୍ତି, ପ୍ରଥମ ଦୁଇ ଦିନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ । ଏବେସୁଦ୍ଧା ଏହାର ଗତିପଥକୁ ନେଇ ଅନିଶ୍ଚିତତା ରହିଛି। ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଆକଳନ ସ୍ପଷ୍ଟ କରିହେବ ବୋଲି ସେ କହିଛନ୍ତି ।

 

Breaking News