ରିପୋର୍ଟ କାର୍ଡ / ଭୁବନେଶ୍ବର
ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯଦିଓ ବାତ୍ୟା ବିପର୍ଯ୍ୟୟ ଉପକୂଳରେ ପହଞ୍ଚିବାକୁ ଆହୁରି ୨ ଦିନ ବାକି ଅଛି, କିନ୍ତୁ ଏହାର ରୂପ ଦେଖାଇବା ଆରମ୍ଭ କରିଦେଲାଣି | ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସୌରାଷ୍ଟ୍ର ଏବଂ କଚ୍ଛରେ ବୁଧବାର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ଏବଂ ଗୁରୁବାର ଦିନ ଅତି ଉଚ୍ଚ ଜୁଆର ସହ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ବାତ୍ୟା ଯୋଗୁଁ କଚ୍ଛ, ଜାମନଗର, ମୋର୍ବି, ଗିର, ସୋମନାଥ, ପୋରବନ୍ଦର ଏବଂ ଦେବଭୂମି ଦ୍ବାରକା ପ୍ରଭାବିତ ହେବ। ଜୁନ୍ ୧୩-୧୫ ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଘଣ୍ଟାପ୍ରତି ୧୨୫ରୁ ୧୪୫ କିଲୋମିଟର ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ଅନେକ ବନ୍ଦରକୁ ବନ୍ଦ କରାଯାଇଛି | ଏଥିରେ କାଣ୍ଡଲା, ଓଖା, ପୋରବନ୍ଦର, ମାଣ୍ଡଭି ପ୍ରମୁଖ ବନ୍ଦର ରହିଛି | କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିବାବେଳେ ଆଉ ୧୫ଟି ଟିମ୍ ପ୍ରସ୍ତୁତ ଅଛନ୍ତି | ନଭସାରି ଏବଂ ଦ୍ୱାରକା ଅଞ୍ଚଳରେ ମଧ୍ୟ ଉଚ୍ଚ ଜୁଆର ଦେଖାଦେଉଛି। ବାତ୍ୟା ପାଇଁ ଗୁଜରାଟରେ ୧୫ ତାରିଖ ଯାଏଁ ୯୫ଟି ଟ୍ରେନକୁ ବାତିଲ କରାଯାଇଛି।
More Stories
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….
କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ…..