Report Card Odisha

| Daily Odia News

ପାଣ୍ଡିଆନ-ବବିଙ୍କୁ ପ୍ରଶଂସା କରି ପ୍ରଭାତଙ୍କୁ ସମାଲୋଚନାକଲେ ଦେବାଶିଷ……

ରିପୋର୍ଟ କାର୍ଡ / କଟକ

ବିଜେଡିର ବିପର୍ଯ୍ୟୟ ପାଇଁ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ସିଧାସଳଖ ଭି. କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସମାଲୋଚନା କରିବାର ପ୍ରାୟ ସାତଦିନ ପରେ ମୁହଁ ‌ଖୋଲିଛନ୍ତି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦେବାଶିଷ ପ୍ରଭାତଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଥିବା ବେଳେ ପ୍ରଭାତ ତାଙ୍କୁ ପାଲଟା ଜବାବ ଦେବା ଘଟଣା ପୁଣିଥରେ କଟକ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବବି ଦାସ ଓ ପାଣ୍ଡିଆନଙ୍କୁ ସମାଲୋଚନା କରିବାର ଅଧିକାର ପ୍ରଭାତଙ୍କୁ କିଏ ଦେଲା, ସିଏ କିଏ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି। ଦେବାଶିଷ କହିଛନ୍ତି, ପ୍ରଭାତ ସିବିଆଇରୁ ବର୍ତ୍ତିବାକୁ ହୁଏତ ଏବେ ଅନ୍ୟ କେଉଁ ଦଳକୁ ଢଳୁଛନ୍ତି। ନଚେତ୍‌ ପ୍ୟାରୀ ମହାପାତ୍ରଙ୍କୁ ପ୍ରଶଂସା କରି ସେ ବବି ଦାସଙ୍କୁ ସମାଲୋଚନା କରି ନଥା’ନ୍ତେ। ପ୍ରଭାତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନୁହନ୍ତି। ସେ ପ୍ରଥମେ ସ୍ବାଧୀନ ଭାବେ ନିର୍ବାଚନ ଲଢି ଜିତିବାପରେ ବିଜେଡିରେ ସାମିଲ ହୋଇଥିଲେ। ତାଙ୍କ ପୁଅ ଏବେ ଚୌଦ୍ବାର-କଟକରୁ ବିଜେଡିର ବିଧାୟକ ଅଛନ୍ତି। ତେଣୁ ଦଳର ବିପର୍ଯ୍ୟୟ ସମୟରେ ବରିଷ୍ଠ ନେତାମାନଙ୍କୁ ସାଧାରଣରେ ସମାଲୋଚନା କରିବା ଦୁଃଖଦାୟକ। ଯେତେବେଳେ ଦରକାର ପଡୁଥିଲା ପ୍ରଭାତ ବବି ଦାସଙ୍କ ପାଖକୁ ଦୌଡୁଥିଲେ। ଭି. କେ. ପାଣ୍ଡିଆନଙ୍କ ପାଖକୁ ବି ଦୌଡୁଥିଲେ। ଏବେ ପ୍ୟାରୀ ବାବୁଙ୍କ କଥା ଉଠାଇବାରୁ ପ୍ରମାଣ ହେଉଛି ଯେ ପ୍ୟାରୀ ବାବୁଙ୍କ ସେହି କାଣ୍ଡରେ ପ୍ରଭାତ ସାମିଲ ଥିଲେ। ଏଥିସହିତ, ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି ଦେବାଶିଷ। ଦେବାଶିଷ କହିଛନ୍ତି ଯେ ଭୋର ୪ଟାରୁ ଆସି ପାଣ୍ଡିଆନ ବାବୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଥିଲେ। ଅନେକ ବିକାଶମୂଳକ କାର୍ଯ୍ୟ ପାଣ୍ଡିଆନବାବୁଙ୍କ ଜରିଆରେ ସମ୍ଭବ ହୋଇଛି। ଲୋକଙ୍କ ଅଭିଯୋଗ ଶୁଣି ୨୪ ଘଣ୍ଟା ଭିତରେ ପାଣ୍ଡିଆନବାବୁ ତାହାର ସମାଧାନ କରୁଥିଲେ। ସେତେବେଳେ ପ୍ରଭାତ କିଛି କହୁ ନଥିଲେ। ଦେଶର ସଂଘୀୟ ବ୍ୟବସ୍ଥାରେ କାହାକୁ ତାମିଲ, ତେଲୁଗୁ, ବଙ୍ଗାଳୀ କହି ସମାଲୋଚନା କରିବା ଠିକ ନୁହେଁ। ନିର୍ବାଚନରେ ହାରଜିତ ଥାଏ। ପୂର୍ବରୁ ଇନ୍ଦିରା ଗାନ୍ଧୀ ହାରିଥିଲେ। ଆଗକୁ ନରେନ୍ଦ୍ର ମୋଦୀ, ଅମିତ ଶାହା ବି ହାରିବେ ବୋଲି ଦେବାଶିଷ କହିଛନ୍ତି।

Breaking News