Report Card Odisha

| Daily Odia News

ସିବିଆଇ କିଛି ନ ପାଇଲେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ କି?…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗର ତଦନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁହଁ ଖୋଲିଛନ୍ତି | ଯଦି ସିବିଆଇ ତା’ର ତଦନ୍ତରେ କିଛି ବି ଅନିୟମିତତାର ପ୍ରମାଣ ପାଇବ ନାହିଁ, ତା’ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ ତାଙ୍କ ବାସଭବନକୁ ନବୀକରଣ କରିବା ପାଇଁ ସରକାରୀ ଖାତାରୁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଥିଲା। ଏନେଇ ଉପ ରାଜ୍ୟପାଳ ଭିକେ ସକ୍ସେନା ମଧ୍ୟ ସିବିଆଇ ନିର୍ଦ୍ଦେଶକୁ ଚିଠି ଲେଖିଥିଲେ। ଏସବୁ ଭିତରେ ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛି। ଏହାକୁ ନେଇ ବିଜେପି ଓ ଦିଲ୍ଲୀର କ୍ଷମତାସୀନ ଆପ୍‌ ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ କେଜ୍ରିୱାଲ ସିବିଆଇ ତଦନ୍ତକୁ ଆଜି ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ସିବିଆଇ ତଦନ୍ତକୁ ସ୍ୱାଗତ କରୁଛି। କାରଣ ସେମାନେ କିଛି ବି ପାଇବେ ନାହିଁ। ଏହି ମାମଲା ପ୍ରଥମଥର ପାଇଁ ତଦନ୍ତ ହେଉନାହିଁ। ଏହାପୂର୍ବରୁ ମଧ୍ୟ ହୋଇଛି। ତେବେ ଯେତେ ଯାହା କଲେ ମଧ୍ୟ କେଜ୍ରିୱାଲ କେବେ ହେଲେ ମୁଣ୍ଡ ନୁଆଁବ ନାହିଁ।” କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ସିବିଆଇ ତଦନ୍ତ ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ନର୍ଭସ ଅଛନ୍ତି। ସେ କହିଛନ୍ତି, “ଏପରି ତଦନ୍ତ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ଏବେ ଡରି ଯାଇଛନ୍ତି। ମୋ ବିରୋଧରେ ଏମିତି ତଦନ୍ତ ପ୍ରଥମଥର ପାଇଁ ହେଉ ନାହିଁ। ସେମାନେ ଏପରି ୫୦ରୁ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ କେତେବେଳେ ମଦ ନୀତିରେ ଦୁର୍ନୀତି ହୋଇଛି ବୋଲି କହୁଛନ୍ତି ତ ଆଉ କେତେବେଳେ ବସ, ସ୍କୁଲ କିମ୍ବା ରାସ୍ତା କାମରେ ଦୁର୍ନୀତି ଥିବା କହୁଛନ୍ତି। ସେମାନେ ମୋ ନାଁରେ ୩୩ରୁ ଅଧିକ କେସ୍‌ କରିଛନ୍ତି। ସେମାନେ ଗତ ୮ ବର୍ଷ ହେଲା ତଦନ୍ତ କରୁଛନ୍ତି। ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦିନ ଠାରୁ ତଦନ୍ତ ହେଉଛି। କିନ୍ତୁ ସେମାନେ କିଛି ବି ପାଇ ନାହାନ୍ତି। ଏବେ ସେମାନେ ନୂଆ ତଦନ୍ତ ଆରମ୍ଭ କରିଛନ୍ତି। ମୁଁ ଏହାକୁ ମଧ୍ୟ ସ୍ୱାଗତ କରୁଛି।”

Breaking News