Report Card Odisha

| Daily Odia News

ସିବିଆଇ ଚାର୍ଜସିଟ୍‌ରେ ସିସୋଦିଆ ଅଭିଯୁକ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମ ଥର ପାଇଁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଚାର୍ଜସିଟ୍‌ରେ ଅଭିଯୁକ୍ତ ଦର୍ଶାଯାଇଛି। ମଙ୍ଗଳବାର ଦିନ ସିବିଆଇ ଦ୍ବାରା ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍‌ରେ ସିସୋଦିଆଙ୍କ ନାମ ଯୋଡ଼ାଯାଇଛି। ସିବିଆଇ ମଧ୍ୟ ହାଇଦ୍ରାବାଦର ସିଏ ବୁଚି ବାବୁ ଗୋରନ୍ତଲା,ମଦ ବ୍ୟବସାୟୀ ଅମନଦୀପ ସିଂହ ଧଲ ଏବଂ ଅର୍ଜୁନ ପାଣ୍ଡେଙ୍କ ନାମ ଅତିରିକ୍ତ ଚାର୍ଜସିଟ୍‌ରେ ଦର୍ଶାଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଆଇପିସିର ବିଭିନ୍ନ ଧାରା ଅଧୀନରେ ସେମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ନୂଆଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ପକ୍ଷରୁ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। ଏହି ମାମଲାରେ କୌଣସି ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପାଇଁ ଏବଂ ମାମଲାରେ ଅନ୍ୟ କୌଣସି ଅଭିଯୁକ୍ତର ଭୂମିକା ସଂକ୍ରାନ୍ତରେ ଜାଣିବାପାଇଁ ତଦନ୍ତ ଜାରି ରହିବ ବୋଲି ସିବିଆଇ କହିଛି। ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ସିବିଆଇ ଦାଖଲ କରିଥିବା ଏହାର ପ୍ରଥମ ଚାର୍ଜସିଟ୍‌ରେ ଆପ୍‌ର କମ୍ୟୁନିକେସନ୍‌ ଇନଚାର୍ଜ ବିଜୟ ନେୟାରଙ୍କ ସମେତ ୭ ଜଣ ଲୋକଙ୍କ ନାମ ରଖିଥିଲା। ଗତ ସପ୍ତାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ମାମଲାରେ ସିବିଆଇ ୯ ଘଣ୍ଟା ଜେରା କରିଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ମଧ୍ୟ ଏହି ମାମଲାରେ ଜେରା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସିସୋଦିଆ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ସିବିଆଇ ନିକଟରେ କୌଣସି ପ୍ରମାଣ ନାହିଁ ବୋଲି କହି ସେ ଜାମିନ ଆବେଦନ କରିଛନ୍ତି। ସିସୋଦିଆଙ୍କୁ ଫେବ୍ରୁଆରି ୨୬ରେ ଗିରଫ କରାଯାଇଥିଲା। ଏହି ମାମଲାରେ ମୋଟ୍‌ ୧୦ ଜଣ ଗିରଫ ହୋଇଛନ୍ତି।

Breaking News