Report Card Odisha

| Daily Odia News

ଦିଲ୍ଲୀ ମେୟର୍‌ ନିର୍ବାଚନରେ ‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ରେ ମେୟର୍‌ ନିର୍ବାଚନ ପୂର୍ବରୁ ନବନିର୍ବାଚିତ ‘ଆପ୍‌’ ଓ ‘ବିଜେପି’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ ହୋଇଛି | ସୂଚନା ଅନୁସାରେ, ମେୟର୍‌ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବା ଆଗରୁ ‘ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ଗୃହ ମୁଲତବୀ ଘୋଷଣା କରାଯାଇଛି। ‘ସିଭିକ୍‌ ସେଣ୍ଟର୍‌’ର ମଧ୍ୟସ୍ଥଳରେ ‘ଆପ୍‌’ ଓ ‘ବିଜେପି’ କର୍ମୀମାନେ ସ୍ଲୋଗାନ୍‌ ଦେଇଥିଲେ। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ସଦସ୍ୟମାନେ ପରସ୍ପରଙ୍କୁ ଠେଲାପେଲା କରୁଥିବା ବେଳେ କେତେକ ତଳେ ପଡ଼ିଯାଉଛନ୍ତି। ଉପରାଜ୍ୟପାଳ ଭି. କେ. ସାକ୍‌ସେନାଙ୍କଦ୍ବାରା ନିଯୁକ୍ତ କାମଚଳା ବାଚସ୍ପତି ସତ୍ୟ ଶର୍ମା ମନୋନୀତ ସଦସ୍ୟମାନଙ୍କର ଶପଥ ପାଠ ଆରମ୍ଭ କରାଇବାରୁ ପ୍ରତିବାଦ ଆରମ୍ଭ ହୋଇଥିଲା। ‘ଆପ୍‌’ ସଦସ୍ୟମାନେ କହିଥିଲେ ଯେ, ମନୋନୀତ ସଦସ୍ୟମାନଙ୍କ ଆଗରୁ ନିର୍ବାଚିତ କାଉନ୍‌ସିଲର୍‌ମାନଙ୍କ ଶପଥ ପାଠ କରାଯିବା ଉଚିତ। ‘ଆପ୍‌’ ସଦସ୍ୟ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଗୁଡ଼ାଏ ଯୁକ୍ତିତର୍କ ଲାଗିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ‘ଆପ୍‌’ ଅଭିଯୋଗ କରିଛି ଯେ, ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ‘ଆପ୍‌’ ସରକାରଙ୍କ ସହିତ ପରାମର୍ଶ ନ କରି ଉପରାଜ୍ୟପାଳ କେତେଗୁଡ଼ିଏ ନିଯୁକ୍ତି ଦେବା ସହିତ ମେୟର୍‌ ନିର୍ବାଚନକୁ ‘ବିଜେପି’ ଆଡ଼କୁ ଢଳାଇବା ପାଇଁ ଉଦ୍ୟମ କରୁଛନ୍ତି। ‘ଆପ୍‌’ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଉପରାଜ୍ୟପାଳ ଜାଣିଶୁଣି ‘ବିଜେପି’ ପ୍ରତି ଅନୁଗତ ଥିବା ୧୦ଜଣ ସଦସ୍ୟଙ୍କ ମନୋନୀତ କରିଛନ୍ତି। ସଦସ୍ୟମାନଙ୍କୁ ମନୋନୀତ କରିସାରିବା ପରେ, ମେୟର୍‌ ନିର୍ବାଚନରେ ଅଧ୍ୟକ୍ଷତା କରିବା ଲାଗି ସାକ୍ସେନା ‘ବିଜେପି’ କାଉନ୍‌ସିଲର୍‌ ସତ୍ୟ ଶର୍ମାଙ୍କୁ କାମଚଳା ବାଚସ୍ପତି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି। ବୟୋଜ୍ୟେଷ୍ଠ କାଉନ୍‌ସିଲର୍‌ ମୁକେଶ ଗୋୟଲ୍‌ଙ୍କୁ ଏହି ପଦବୀ ପାଇଁ ‘ଆପ୍‌’ ପ୍ରସ୍ତାବ ଦେଇଥି‌ଲା। ତିନି ଥର କ୍ଷମତାରେ ରହିବା ପରେ ପୌର ନିର୍ବାଚନରେ ପରାଜିତ ହୋଇଥିବା ‘ବିଜେପି’ ଦାବି କରିଛି ଯେ, ସେମାନେ ମେୟର୍‌ ପଦବୀ ଜିଣିବେ। ମେୟର୍‌ ନିର୍ବାଚନରେ ‘ଆପ୍‌’ ଶେଲୀ ଓବେରୟି ଓ ‘ବିଜେପି’ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ ଭାବେ ଠିଆ କରାଇଛନ୍ତି।

Breaking News