Report Card Odisha

| Daily Odia News

ପ୍ରେମିକାକୁ ମାରି ଫ୍ରିଜ୍‌ରେ ରଖିଲା ପ୍ରେମିକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜ୍‌ରେ ରଖିଲା ନୃଶଂସ ପ୍ରେମିକ। ଲିଭ୍‌-ଇନ୍‌-ପାର୍ଟନରକୁ ହତ୍ୟା କରି ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ। ଏକ ଢାବାର ଫ୍ରିଜ୍‌ରୁ ପୋଲିସ୍‌ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଦିଲ୍ଲୀର ବାବା ହରିଦାସ ନଗର ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତ ଯୁବତୀଙ୍କ ନାଁ ନିକ୍କି ଓ ଅଭିଯୁକ୍ତ ପ୍ରେମିକର ନାଁ ସାହିଲ। ସୂଚନା ଅନୁସାରେ, ସାହିଲଙ୍କ ସହ ନିକ୍କି ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ହେଲେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ନିକ୍କି ଏହା ଜାଣିବା ପରେ ସାହିଲ ସହ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଯଦି ସେ ଅନ୍ୟ କୌଣସି ଯୁବତୀଙ୍କୁ ବାହା ହୁଅନ୍ତି ତା’ହେଲେ ସେ ତାଙ୍କୁ ଫସାଇ ଦେବେ ବୋଲି ସାହିଲକୁ ନିକ୍କି ଧମକ ଦେଇଥିଲେ। ଏହି କାରଣରୁ ସାହିଲ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ଯୋଜନାମୁତାବକ, ସାହିଲ ସକାଳେ ନିକ୍କିଙ୍କୁ ହତ୍ୟା କରିବା ପରେ ସେହି ଦିନ ସନ୍ଧ୍ୟାରେ ଘର ଲୋକଙ୍କ କଥାରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହୋଇଥିଲେ। ପଚରାଉଚରା ବେଳେ ସାହିଲ ନିଜେ ଅପରାଧ ସ୍ୱୀକାର କରିବା ସହ କହିଛି ଯେ, ଫେବୃଆରୀ ୧୦ ତାରିଖ ଦିନ ସେ ଦିଲ୍ଲୀର ISBT ନିକଟରେ କାର୍‌ ଭିତରେ ମୋବାଇଲ କେବୁଲରେ ନିକ୍କିର ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ମୃତଦେହକୁ ଗାଡ଼ି ଭିତରେ ରଖି ସାହିଲ ଚାରିଆଡ଼େ ବୁଲିଥିଲା। ଶେଷରେ ଏକ ଢାବାର ଫ୍ରିଜ୍‌ରେ ମୃତଦେହକୁ ଲୁଚାଇ ଘଟଣାସ୍ଥଳରୁ ସାହିଲ ଫେରାର ହୋଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପୋଲିସ୍‌ ସୂଚନା ଅନୁସାରେ, ଉଭୟ ନିକ୍କି ଓ ସାହିଲ ପରସ୍ପରକୁ ଦୀର୍ଘ ବର୍ଷ ଧରି ଜାଣିଥିଲେ। ସାହିଲର କହିବା ଅନୁସାରେ, ଯେତେବେଳେ ସେ SSC ପରୀକ୍ଷା ପାଇଁ ଉତ୍ତମ ନଗର ସ୍ଥିତ ଏକ କୋଚିଂ ସେଣ୍ଟରକୁ ଯାଉଥିଲେ, ସେହି ସମୟରେ ନିକ୍କି ଅନ୍ୟ ଏକ ଇନଷ୍ଟିଚ୍ୟୁଟ୍‌ରେ ପଢ଼ୁଥିଲେ। ଉଭୟ କୋଟିଏ ବସ୍‌ରେ ହିଁ ଯାଆସ କରୁଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଓ ପରେ ଭଲ ପାଇବା। ୨୦୧୮ରେ ଉଭୟ ଲିଭ୍‌-ଇନ୍‌ରେ ରହିଥିଲେ। ହେଲେ ସାହିଲ ଏନେଇ ପରିବାର ଲୋକଙ୍କୁ କିଛିବି ଜଣାଇ ନଥିଲା। ଉଭୟ ଏକାଠି ବହୁ ସ୍ଥାନକୁ ବୁଲାବୁଲି ମଧ୍ୟ କରିଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଯେତେବେଳେ ନିକ୍କି ଜାଣିବାକୁ ପାଇଲେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି, ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଯେଉଁଥିପାଇଁ ନିକ୍କିଙ୍କୁ ହତ୍ୟା କରିବା ପାଇଁ ସାହିଲ ଯୋଜନା କରିଥିଲା। ଯୋଜନାମୁତାବକ ନିକ୍କିଙ୍କୁ ହତ୍ୟା ପରେ ସାହିଲ ମୃତଦେହ ଲୁଚାଇବା ପାଇଁ ଏକ ଢାବାର ଫ୍ରିଜ୍‌ରେ ରଖିଥିଲା। ଶେଷରେ ପୋଲିସ୍‌ ହାତରେ ଧରାପଡ଼ିବା ସହ ସବୁକିଛି ସତ ମାନିଥିଲା ସାହିଲ। ଦିଲ୍ଲୀର କ୍ୟାର୍‌ ଗାଁରୁ ତାକୁ ଗିରଫ କରାଯାଇଥିଲା ।

Breaking News