Report Card Odisha

| Daily Odia News

ରାଜ୍ୟରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ବୁଧବାର ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୭ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରୁ ୧୨ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ସେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ନମୁନା ପରୀକ୍ଷାରୁ ତାଙ୍କର ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି। ଏହା ଚଳିତ ବର୍ଷ ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ। ଅନ୍ୟପକ୍ଷରେ ଡେଙ୍ଗୁ ମୃତ୍ୟୁକୁ ନେଇ ମଣ୍ଡଳ ଉପାୟୁକ୍ତ ପୁରନ୍ଦର ନନ୍ଦ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ପୁଲିସ ଅଧିକାରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ରାଜଧାନୀରେ ଡେଙ୍ଗୁ ରେ‌ାଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ମଶା ବଂଶ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ସ୍ଥିତି ଯାଞ୍ଚ ସହିତ ନଜର ରଖିବା ପାଇଁ କୁହାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ଦେହ ହାତ ବିନ୍ଧା, ଗଣ୍ଠି ଓ ମାଂସପେଶୀରେ କଷ୍ଟ ଅନୁଭବ କରିବା‌ ଡେଙ୍ଗୁର ଲକ୍ଷଣ। ଗତ ୫ ମାସର ବିବରଣୀକୁ ଦେଖିଲେ ରାଜ୍ୟରେ ଡେଙ୍ଗୁ ସ୍ଥିତି ‌ସେତେ ଉଦ୍‌ବେଗଜନକ ନୁହେଁ। ଗତ ଜାନୁଆରୀରୁ ମେ’ ମାସ ଶେଷସୁଦ୍ଧା ରାଜ୍ୟର ୩୦ ଜିଲାରୁ ମୋଟ ୨୫୯୨ ନମୁନା ସଂଗ୍ରହ କରାଯାଇଥିବା ବେଳେ ୬୨ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨୪ ନମୁନା ପରୀକ୍ଷଣ କରାଯାଇଥିବାବେଳେ ୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ପୁରୀ। ଏଠାରେ ୩୨୮ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ୧୬ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜନସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସେହିପରି ୧୫ ଜିଲାରେ କୌଣସି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ୨୦୨୦ ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ ୮୭୦ ନମୁନାରୁ ୭୪ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ରାଜଧାନୀର କିଛି ବାସିନ୍ଦା ଡେଙ୍ଗୁ ବ୍ୟାପିବା ନେଇ ସିଧାସଳଖ ବିଏମ୍‌ସି ଉପରେ ଦୋଷ ଦେଇଛନ୍ତି। ସଠିକ୍‌ଭାବେ ନାଳ ସଫେଇ, ମଶା ତେଲ ଏବଂ ଟିଫା ମେସିନ ବୁଲୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ମଶା ବଂଶ ବୃଦ୍ଧି ହେଉଛି ଏବଂ ଏହା ସଂସ୍ପର୍ଶରେ ଆସି ଲୋକେ ଡେଙ୍ଗୁ ଆକ୍ରାନ୍ତ ହେଉଛନ୍ତି।

Breaking News