Report Card Odisha

| Daily Odia News

ଦେବେନ୍ଦ୍ର ଫଡନବୀସ ଅସଲ ଖଳନାୟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଛନ୍ତି। ଫଡନାଭିସଙ୍କୁ ମହାରାଷ୍ଟ୍ର ରାଜନୀତିର ଖଳନାୟକ ବୋଲି କହିବା ସହ ସେ ଅନେକ ପରିବାରକୁ ନଷ୍ଟ କରିବା ସହ ରାଜନୈତିକ ପ୍ରତିଶୋଧ ନେଉଥିବା ଅଭିଯୋଗ କରିଛନ୍ତି । ଫଡନାଭିସ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ରାଉତ ଏହି ବୟାନ ଦେଇଛନ୍ତି। ଲୋକସଭା ନିର୍ବାଚନରେ ରାଜ୍ୟରେ ବିଜେପିର ଲୋକସଭା ଆସନ ସଂଖ୍ୟା ୨୩ରୁ ୯କୁ ଖସି ଆସିବା ପରେ ଫଡନାଭିସ ପରାଜୟର ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଚଳିତ ବର୍ଷ ଶେଷଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ପାଇଁ ପୂର୍ଣ୍ଣକାଳୀନ କାମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଜୋରଜବରଦସ୍ତ ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ସରକାର ଅଧିକ ଦିନ ଚାଲିବ ନାହିଁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୋଦିଙ୍କ ବିକଳ୍ପ ଖୋଜୁଛି ବୋଲି ସେ ଦାବି କରିଛନ୍ତି। ଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସଞ୍ଜୟ କହିଛନ୍ତି, ମହାରାଷ୍ଟ୍ର ରାଜନୀତିରେ ଯଦି ଜଣେ ଖଳନାୟକ ଅଛନ୍ତି, ତେବେ ସେ ହେଉଛନ୍ତି ଦେବେନ୍ଦ୍ର ଫଡନାଭିସ। ଲୋକସଭା ନିର୍ବାଚନରେ ବିଜେପିର ପରାଜୟର କାରଣ ହେଉଛନ୍ତି ଦେବେନ୍ଦ୍ର ଫଡନାଭିସ ।

Breaking News