ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ଏହା ଉପରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ‘ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର’ ଶୁଭାରମ୍ଭ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ପ୍ରକ୍ରିୟା ତଦାରଖ କରୁଛନ୍ତି। କୌଣସି ଅଭିଯୋଗ ଥିଲେ ଦେୟମୁକ୍ତ ନମ୍ବର ୧୯୬୭ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଏହି କେନ୍ଦ୍ରରେ ସବୁ ଜିଲ୍ଲାର ମଣ୍ଡି ଉପରେ ତୀକ୍ଷ୍ଣ ନଜର ରଖାଯିବ। ସିସିଟିଭି ମାଧ୍ୟମରେ ଲାଇଭ୍ ଫୁଟେଜକୁ ଏଠାରେ ଅନୁଧ୍ୟାନ କରାଯିବା ସହ ମଣ୍ଡିରୁ ଧାନ ନେଇ ମିଲ୍ସ ଓ ଡିପୋକୁ ଯାଉଥିବା ଗାଡ଼ିକୁ ମଧ୍ୟ ନିରୀକ୍ଷଣ କରାଯିବ। ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହବେଳେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଏଠାରେ ଉଭୟ ଅଡିଓ ଓ ଭିଡିଓ କଲ୍ ମାଧ୍ୟମରେ ଯୋଗାଯୋଗ କରିବା ବ୍ୟବସ୍ଥା ରହିଛି। କୌଣସି ଅଭିଯୋଗ କିମ୍ବା ନିର୍ଦ୍ଦେଶ ଆସିଲେ ତ୍ବରିତ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..