ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳାଇବା ବିବାଦ ଏବେ ହକି ଇଣ୍ଡିଆରେ ଆଭ୍ୟନ୍ତରୀଣ ବିବାଦ ପାଲଟିଛି। ଭାରତୀୟ ଦଳର ଜର୍ସିକୁ ନୀଳରୁ କମଳା ରଙ୍ଗ କରିବା ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ବେଶ୍ କ୍ଷୁବ୍ଧ ହୋଇଛନ୍ତି। ଜର୍ସିର ରଙ୍ଗ ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ମାଗି ତାଙ୍କ ନୋଟିସ୍ର ସନ୍ତୋଷଜନକ ଉତ୍ତର ନ ପାଇବା ପରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି। ଜାତୀୟ ଦଳର ଖେଳାଳିଙ୍କ ଜର୍ସିର ରଙ୍ଗ ପରିବର୍ତ୍ତନର ପ୍ରକ୍ରିୟା ଏବଂ ଆଧାର ସମ୍ପର୍କରେ ଦିଲୀପ ପୂର୍ବରୁ ହକି ଇଣ୍ଡିଆର ମହାନିର୍ଦ୍ଦେଶକ (ଡିଜି) କମାଣ୍ଡର ଆର.କେ. ଶ୍ରୀବାସ୍ତବଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ଶ୍ରୀବାସ୍ତବ ଦାବି କରିଥିଲେ ଯେ ଏଭଳି ପରିଚାଳନା ସମ୍ପର୍କିତ ନିଷ୍ପତ୍ତି ପୂର୍ବରୁ ମଧ୍ୟ କାର୍ଯ୍ୟନିର୍ବାହୀ ବୋର୍ଡ ସମ୍ମୁଖକୁ ଅଣାଯାଉ ନଥିଲା। ଦିଲୀପ ପାଲଟା ଜବାବ ଦେଇ ସମସ୍ତ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟଙ୍କୁ ପଠା ଯାଇଥିବା ଆଉ ଏକ ଇ-ମେଲ୍ରେ ଉଠିଥିବା ଆପତ୍ତିଗୁଡ଼ିକର ପୁଙ୍ଖାନୁପୁଙ୍ଖ ଉତ୍ତର ରଖିବାକୁ ସୋମବାର ଦିନ ଶ୍ରୀବାସ୍ତବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ଉତ୍ତର ରଖିବାକୁ ଶ୍ରୀବାସ୍ତବଙ୍କୁ ଦିଲୀପ ତିର୍କୀ ନିର୍ଦ୍ଦେଶ ଦେଇଛନ୍ତି। ଦିଲୀପ ଦର୍ଶାଇଛନ୍ତି, ହକି ଇଣ୍ଡିଆ ଭାରତୀୟ ହକିର ମାଲିକ ନୁହେଁ। କୌଣସି କାଗଜାତ କିମ୍ବା ପ୍ରମାଣ ବିନା କେବଳ ସ୍ପଷ୍ଟୀକରଣ କାର୍ଯ୍ୟନିର୍ବାହୀ ବୋର୍ଡ ପାଇଁ ଯଥେଷ୍ଟ ନୁହେଁ। ଏହି ପ୍ରସଙ୍ଗ କେବଳ ଜର୍ସିର ରଙ୍ଗ କିମ୍ବା ଡିଜାଇନ୍ ନୁହେଁ; ଏହି ମାମଲା ଭାରତୀୟ ହକିର ପ୍ରମୁଖ ପରିଚୟ ସହିତ ଜଡ଼ିତ। କାହା କ୍ଷମତା ବଳରେ ଏହି ନିଷ୍ପତ୍ତି ନିଆ ଯାଇଥିଲା, କେଉଁ ସବୁ ଆଲୋଚନା କରା ଯାଇଥିଲା, ହକି ଇଣ୍ଡିଆର ପ୍ରଶାସନ ପ୍ରଣାଳୀର ଅନୁପାଳନ ଓ ସଠିକ୍ ପ୍ରକ୍ରିୟା ଅନୁସରଣ କରା ଯାଇଥିଲା କି ନାହିଁ; ତାହା ଜାଣିବାକୁ ଚାହେଁ। କେଉଁ କ୍ଷମତା/ଅଧିକାର ଦ୍ବାରା ଜର୍ସି ବଦଳାଇବା ନିଷ୍ପତ୍ତି ନିଆ ଯାଇଥିଲା? ଏହାର ସମୟସୀମା, ଉକ୍ତ ପ୍ରକ୍ରିୟାରେ ସାମିଲ ବ୍ୟକ୍ତିଙ୍କ ନାମ, ପଦବୀ ଓ ଭୂମିକା ଏବଂ ନିଷ୍ପତ୍ତି ସମ୍ପର୍କିତ ସମସ୍ତ ଚିଠିପତ୍ରର ନକଲ ପ୍ରଦାନ କରିବାକୁ ଦିଲୀପ ନିର୍ଦ୍ଦେଶ ଦେଇଛନ୍ତି।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ଅନ୍ଦୋଳନ…..