Report Card Odisha

| Daily Odia News

ଭାଇରାଲ ଦିଲୀପ ରାୟଙ୍କ ବିରୋଧୀ ଚିଠି….

ରିପୋର୍ଟ କାର୍ଡ / ରାଉରକେଲା

ରାଉରକେଲା ବିଧାନସଭା ଆସନରୁ ଦିଲୀପ ରାୟ ବିଜେପି ଟିକେଟ୍‌ ପାଇବା ପରେ ବିବାଦ ଦେଖା ଦେଇଛି । ମଙ୍ଗଳବାର ତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ବିଜେପିର ଶତାଧିକ ନେତା ଓ କର୍ମୀ | ବିଜେପି ଟିକେଟ୍‌ରୁ ବଞ୍ଚିତ ବରିଷ୍ଠ ନେତା ନିହାର ରାୟଙ୍କ ବାସନ୍ତୀକଲୋନିସ୍ଥ ବାସଭବନ ଆଗରେ ଏକାଠି ହୋଇ ପ୍ରାର୍ଥିତ୍ବ ପରିବର୍ତ୍ତନ ଦାବି କରିଥିଲେ। ବୁଧବାର ପୁଣି ଦିଲୀପଙ୍କ ବିରୋଧରେ ଏକ ଖୋଲା ଚିଠି ଭାଇରାଲ୍‌ ​ହୋଇଛି। ରାଉରକେଲାର ସାଧାରଣ ଜନତା ନାଁରେ ଲେଖାଥିବା ଚିଠିରେ ଦିଲୀପଙ୍କ ବିରୋଧରେ ଅନେକ କିଛି କଥା ଲେଖାଯାଇଛି। ଚିଠିରେ ଉଲ୍ଲେଖ ଅଛି ଗତ ୧୯୯୫ ବିଧାନସଭା ନିର୍ବାଚନରେ ପ୍ରଭାତ ମହାପାତ୍ରଙ୍କଠୁ ଦିଲୀପ ରାୟ ପରାଜିତ ହୋଇଥିଲେ। ଏହାପରେ ୧୯ ବର୍ଷ ଧରି ତାଙ୍କର ଦେଖା ନଥିଲା। ଏହାପରେ ୨୦୧୪ରେ ହଠାତ୍ ଆସି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ। ହେଲେ ୨୦୧୪ରୁ ୨୦୧୯ ମଧ୍ୟରେ ସହର ପାଇଁ ସେମିତି କିଛି ବିକାଶମୂଳକ କାମ କରି ନଥିଲେ।ଏହାର ପରବର୍ତ୍ତୀ ୫ ବର୍ଷ ବି ତାଙ୍କର ଦେଖା ମିଳିନଥିଲା। ଏବେ ୨୦୨୪ରେ ପୁଣି ଆବିର୍ଭାବ ହୋଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବାରୁ ରାଉରକେଲାବାସୀ ତାଙ୍କୁ କେମିତି ଗ୍ରହଣ କରିବେ ବୋଲି ଚିଠିରେ ପ୍ରଶ୍ନ ହୋଇଛି। ଏହି ଚିଠି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ବା ଦିଲୀପଙ୍କ ବିରୋଧୀ ଏହା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

 

Breaking News