ରିପୋର୍ଟ କାର୍ଡ / ନୂଆଦିଲ୍ଲୀ /ଭୁବନେଶ୍ୱର
ଆଲୋକର ପର୍ବ ଦୀପାବଳି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦୀପାବଳୀ ହେଉଛି ସୁଖ ଏବଂ ଉତ୍ସାହର ପର୍ବ। ଅନ୍ଧକାର ଉପରେ ଆଲୋକ, ମନ୍ଦ ଉପରେ ଭଲ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପର୍ବ। ରାଷ୍ଟ୍ରପତି କହିଛନ୍ତି ଯେ ଏହି ପର୍ବ ସମସ୍ତଙ୍କୁ ମାନବିକତାର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ।ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଦୀପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ସେ କହିଛନ୍ତି ଯେ ଅପାର ଭକ୍ତି ଓ ସୁଖରେ ପାଳନ କରାଯାଉଥିବା ଏହି ପର୍ବ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସୁଖସମୃଦ୍ଧି ଓ ସୁସ୍ବାସ୍ଥ୍ୟ କାମନା କରିଛନ୍ତି। ସମସ୍ତଙ୍କ ଜୀବନ ସୁଖସମୃଦ୍ଧି ଓ ସୌଭାଗ୍ୟମୟ ହେଉ ବୋଲି ଈଶ୍ବରଙ୍କ ଠାରେ କାମନା କରିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଏଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଆଲୋକର ପର୍ବ ଦୀପାବଳି ଆପଣ ସମସ୍ତଙ୍କ ଘରେ ସ୍ବାସ୍ଥ୍ୟ, ସମୃଦ୍ଧି ଓ ଖୁସିର ଆଲୋକ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….