Report Card Odisha

| Daily Odia News

ଡବଲ ଇଞ୍ଜିନ, ଡବଲ ନିରାଶା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ବିଜେପି ସରକାରଙ୍କ ପ୍ରଥମ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣମାଧ୍ୟମରେ ସେ କହିଛନ୍ତି ଯେ ‘ଡବଲ ଇଞ୍ଜିନ ସରକାର, ଡବଲ ନୈରାଶ୍ୟଜନକ । ରାଜ୍ୟ ବଜେଟରେ ସେମାନେ ମୋ ସରକାରର ୪୦ଟି ଯୋଜନାର ନାମ ବଦଳାଯାଇଛି । ସବିଶେଷ ତର୍ଜମା କରି କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି । ରାଜ୍ୟର ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଆଗତ କରିବା ପରେ ବିରୋଧୀ ବିଜେଡି ଏହାକୁ ନୈରାଶ୍ୟଜନକ ବୋଲି କହିଛି । ତେବେ ବିଜେପି ଏହାକୁ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିଲା ବୋଲି କହିଛି ।
ବିଜେଡିର ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବଜେଟରେ କିଛି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୪୦ରୁ ଅଧିକ ଲୋକପ୍ରିୟ ଯୋଜନାର କପିପେଷ୍ଟ । କେବଳ ନାମ ପରିବର୍ତ୍ତନ ହୋଇଛି । ବହୁ ପ୍ରଚାରିତ ସୁଭଦ୍ର ଯୋଜନାରେ ରାଜ୍ୟର ସମସ୍ତ ମହିଳା ଲାଭାନ୍ୱିତ ହେବା ଆଶା କ୍ଷୀଣ । କାରଣ ମାତ୍ର ୧୦ହଜାର କୋଟି ଟଙ୍କା ଆବଂଟନ ହୋଇଥିବାରୁ ୨୦ଲକ୍ଷ ମହିଳାଙ୍କୁ ଏହି ସୁବିଧା ମିଳିପାରିବ । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବାକୁ ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେବଳ ୮୦ବର୍ଷ ବୟସରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ମାସିକ ପେନସନ୍ ବୃଦ୍ଧି ହୋଇଛି । ଅର୍ଥନୀତିକ ଦୂରଦୃଷ୍ଟି ବଜେଟରେ ଦୃଶ୍ୟମାନ ହୋଇନି । ରୋଜଗାର, ଶିଳ୍ପ, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଆଦି ବିଷୟରେ ବଜେଟରେ କିଛି ନାହିଁ । ଡବଲ ଇଞ୍ଜିନ ସରକାରର ଏହି ବଜେଟ୍ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି ବୋଲି ବିଜେଡି କହିଛି ।

Breaking News