Report Card Odisha

| Daily Odia News

ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇଁ ଶନିବାରଠୁ ‘ବି’ କାଟାଗୋରୀ ଜିଲ୍ଲାରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବ | ଏନେଇ ଶୁକ୍ରବାର ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ସ୍ଲଟ୍‌ ବୁକିଂ ଆରମ୍ଭ ହେଉଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ । ପୁରୀରେ ଆସନ୍ତା ୧୨ ତାରିଖରେ ରଥଯାତ୍ରା ହେଉଥିବାରୁ ସେଠାରେ ୧୩ ତାରିଖରୁ ସ୍ଲଟ୍‌ ବୁକିଂ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । କମିସନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶନିବାର ସକାଳ ୧୧ଟାରୁ ଏହି ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ଏହାପରେ ପ୍ରତିଦିନ ସକାଳ ୭ଟାରୁ ୧୦ଟା ଭିତରେ ସ୍ଲଟ୍‌ ବୁକିଂ କରାଯିବ । ଯେଉଁମାନେ ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବେ ସେହିମାନେ କେବଳ ବର୍ତ୍ତମାନ ପାଇଁ ସ୍ଲଟ୍‌ ବୁକିଂ କରିପାରିବେ । ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସର ନବୀକରଣ ହେବ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ । ଯେଉଁମାନେ ସ୍ଲଟ୍‌ ବୁକିଂ କରିବେ ସେମାନଙ୍କୁ ୧୩ ତାରିଖଠାରୁ ପରୀକ୍ଷା ଦେବାକୁ ପଡ଼ିବ । ଆବେଦନକାରୀମାନେ ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲାବେଳେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।ଅନ୍ୟପକ୍ଷରେ ପୁରୀରେ ଡିଏଲ୍‌ ଟେଷ୍ଟ ୧୪ ତାରିଖରୁ ଆରମ୍ଭ ହେବ । ଡିଏଲ୍‌ ପରୀକ୍ଷା ପାଇଁ ଅଧିକ ସଂକ୍ରମଣ ଅଞ୍ଚଳରୁ କୌଣସି ବ୍ୟକ୍ତିଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କେହି ଏହି ଅଞ୍ଚଳରୁ ଆସିଥିବାର ଜଣାପଡ଼େ ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ବୋଲି ବିଜ୍ଞପ୍ତିରେ ଚେତବାନୀ ଦିଆଯାଇଛି । ଯଦି ଆବେଦନକାରୀଙ୍କ ପାଖରେ କାରୋନାର କୌଣସି ସାମାନ୍ୟ ଲକ୍ଷଣ ଦେଖାଯାଏ ତାହେଲେ ତାଙ୍କୁ ଡିଏଲ୍‌ ପରୀକ୍ଷା ପାଇଁ ଅନୁମତି ଦିଆଯିବ ନାହିଁ । ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ କେବେ କରାଯିବ ସେ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି । ନୂଆ ଏଲ୍‌ଏଲ୍‌ ଏବଂ ନୂଆ ଡିଏଲ୍‌ ପାଇଁ କେବେ ସ୍ଲଟ୍‌ ବୁକିଂ କରାଯିବ ସେ ସଂକ୍ରାନ୍ତରେ ମଧ୍ୟ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦ଟି ‘ଏ’ କାଟାଗୋରୀ ଜିଲ୍ଲାରେ ଗତ ମାସ ୨୨ ତାରିଖରୁ ଡିଏଲ୍‌ ପାଇଁ ସ୍ଲଟ୍‌ ବୁକିଂ ହୋଇଆସୁଛି ।

 

Breaking News