Report Card Odisha

| Daily Odia News

୩୨ ଲକ୍ଷ ଶ୍ରମିକଙ୍କୁ ୩୫୨ କୋଟି କୋଭିଡ୍‌ ସହାୟତା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ନିୟୋଜିତ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରିଛନ୍ତି। ଏଥିରେ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ କାମ କରିଥିବା ଶ୍ରମିକମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି । ଏହାଦ୍ବାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି। ସମୁଦାୟ ୩୨ ଲକ୍ଷ ଶ୍ରମିକଙ୍କୁ ୩୫୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗରିବ ଲୋକଙ୍କ ପାଇଁ ଏପରି ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜିଲା ସ୍ତରରେ ଅଧିକ ଶ୍ରମଦିବସ ସୃଷ୍ଟି କରି ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ କାମ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ଗରିବ ଲୋକଙ୍କ ରୋଜଗାର କମିଛି। ତେଣୁ ଲୋକଙ୍କ ଜୀବିକା ଉପରେ ଧ୍ୟାନ ଦେଇ ରାଜ୍ୟ ସରକାର ଚାଷୀ, ଶ୍ରମିକ, ଦୁଗ୍ଧ ଚାଷୀ, ଉଠାଦୋକାନୀଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ଏଥିରେ ଶ୍ରମିକମାନଙ୍କ ପାଇଁ ୩୫୨ କୋଟି ଟଙ୍କାର ସହାୟତା ରହିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ବର୍ଷ ଶେଷ ସୁଦ୍ଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ଜିଲାର ଜିଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Breaking News