Report Card Odisha

| Daily Odia News

ଆଜି ନିର୍ବାଚନ ଆୟୁକ୍ତ-ଜିଲ୍ଲାପାଳ ଆଲୋଚନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ହେଉଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ସଂକ୍ରାନ୍ତରେ ଜିଲ୍ଲାପାଳ ଙ୍କ ସହିତ କଥାବର୍ତ୍ତା କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ତାଙ୍କ ଅଧିକାରୀମାନେ ଓଡ଼ିଶା ଆସିଛନ୍ତି। ଆଜି ଖାରବେଳ ଭବନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏବଂ ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଦେଶରେ ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଓଡ଼ିଶାରେ ମଧ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟଗୁଡିକର ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ତାଙ୍କ ଦଳ ପ୍ରତି ରାଜ୍ୟକୁ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରୁଛନ୍ତି। ମଙ୍ଗଳବାର କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଦଳ କଲକାତାରେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ବରରେ ଆସି ପହଞ୍ଚି ଥିଲେ। ବୁଧବାର ବୈଠକରେ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି। ସିିଇଓ ଶ୍ରୀ ଧଳ କହିଛନ୍ତି, କେନ୍ଦ୍ର ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲାର ଜିଲାପାଳଙ୍କ ସହ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ଆଲୋଚନା କରିବେ। ୯ଟି ଜିଲା ପାଇଁ ଭିଭିପାଟ୍‌ ଆସି ପହଞ୍ଚି ସାରିଛି। ଅକ୍ଟୋବରରେ ସମସ୍ତ ଇଭିଏମ୍ ଓ ଭିଭିପାଟ୍‌ ଗୁଡ଼ିକୁ ଯାଞ୍ଚ କରାଯିବ। ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଚାଲିଛି।

Breaking News