ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ଆୟୋଗ ବେଆଇନ ମଦ, ନଗଦ ଟଙ୍କା, ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନକୁ ରୋକିବା ପାଇଁ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ କଡ଼ା ନଜର ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ଓ ପ୍ରଲୋଭନମୁକ୍ତ ସାଧାରଣ ନିର୍ବାଚନ ସୁନିଶ୍ଚିତ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆୟୋଗ ବୈଠକ କରିଛନ୍ତି। ସୀମାର ସୁରକ୍ଷା କରୁଥିବା କେନ୍ଦ୍ରୀୟ ଏଜେନ୍ସି ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବା ଏହି ବୈଠକର ଉଦ୍ଦେଶ୍ୟ ବୋଲି କମିଶନ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରାଜୀବ କୁମାର ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଂଶୀଦାରମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରତ୍ୟେକ ଭୋଟର ଯେଭଳି ବିନା ଭୟରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ସେ ନେଇ ଶ୍ରୀ କୁମାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଆୟୋଗ ଅରୁଣାଚଳ ପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ୧୧ଟି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ପୋଲିଂ କର୍ମଚାରୀଙ୍କୁ ଏୟାରଲିଫ୍ଟ କରିବା ପାଇଁ ବାୟୁସେନା ଏବଂ ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗର ସହଯୋଗର ସମୀକ୍ଷା କରିଥିଲେ। ବିଶେଷ କରି ଛତିଶଗଡ଼ ଓ ଜମ୍ମୁ-କଶ୍ମୀର ଭଳି ରାଜ୍ୟରେ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..