ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ ସମ୍ୱୋଧନ କରିଥିଲେ । ଏହାପରେ ସଂସଦରେ ବର୍ଷ ୨୦୨୧-୨୦୨୨ର ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରାଯାଇଥିଲା । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ। ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଏଥିରେ କୁହାଯାଇଛି । ଯଦି ଆଉ କରୋନା ମହାମାରୀ ସଂପର୍କିତ ଆର୍ଥିକ ପ୍ରତିବନ୍ଧକ ( ଲକଡାଉନ, କଟକଣା ) ଆଦି ନ ହୁଏ, ସେ କ୍ଷେତ୍ରରେ ଏହି ଅଭିବୃଦ୍ଧି ହାସଲ କରିହେବ ବୋଲି ରିପୋର୍ଟ କହିଛି । ଦେଶରେ ବ୍ୟାପକ କରୋନା ଟିକାକରଣ ଅଭିଯାନ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ସରକାରୀ ନିବେଶ ଅଭିବୃଦ୍ଧିର ବାହକ ହେବ । ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । କିନ୍ତୁ ଶିଳ୍ପ କ୍ଷେତ୍ର ୧୧.୮ ପ୍ରତିଶତ ହାରରେ ଓ ସେବା କ୍ଷେତ୍ର ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ । କରୋନା ମହାମାରୀ ସତ୍ତ୍ବେ ବିଗତ ୨ ବର୍ଷ ହେଲା ଦେଶକୁ ବିଦେଶୀ ମୁଦ୍ରା ଆଗମନ ଉଲ୍ଲେଖନୀୟ ରହିଛି । ଏହା ଫଳରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୬୩୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ଦେଶର ବିଦେଶୀ ଋଣ ଠାରୁ ଅଧିକ । ଏହି ପରିମାଣର ବିଦେଶୀ ମୁଦ୍ରା ଭଣ୍ଡାର ୧୩ ମାସ ପାଇଁ ଦେଶର ଆମଦାନୀ ବିଲ୍ ସହ ସମାନ ବୋଲି ସର୍ଭେରେ କୁହାଯାଇଛି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..