Report Card Odisha

| Daily Odia News

ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି ମାରି ହତ୍ୟା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କ୍ବିଟୋରେ ନିର୍ବାଚନ ପ୍ରଚାର ରାଲି ଶେଷ ହେବା ପରେ ଏକ୍ବାଡର୍‌ର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଣ୍ଡୋ ବିୟାହ୍‌ବିସେନ୍‌ସିଓଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିୟାହ୍‌ବିସେନ୍‌ସିଓଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରି ଏକ୍ବାଡର୍‌ର ରାଷ୍ଟ୍ରପତି ଗିଏଲ୍‌ର୍ମୋ ଲାସୋ ଟୁଇଟର୍‌ରେ ଜାରି କରିଥିବା ବିବୃତିରେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏ ଅପରାଧ ପାଇଁ ନିଶ୍ଚିତ ଦଣ୍ଡବିଧାନ କରାଯିବ। ଏକ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଗୃହମନ୍ତ୍ରୀ ଜୁଆନ ଜାପାଟା କହିଛନ୍ତି, ରାଲି ଶେଷ ହେବା ପରେ ବିୟାହ୍‌ବିସେନ୍‌ସିଓଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୫୯ ବର୍ଷିୟ ରାଜନୀତିଜ୍ଞ ବିୟାହ୍‌ବିସେନ୍‌ସିଓ ଥିଲେ ଅଗଷ୍ଟ ୨୦ ତାରିଖ ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୮ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅନ୍ୟତମ। ସମଗ୍ର ଦେଶକୁ ଆଘାତ ଦେଇଥିବା ଏହି ଘଟଣାର ତଦନ୍ତ ନିମନ୍ତେ ପଦସ୍ଥ ନିରାପତ୍ତା ଅଧିକାରୀମାନଙ୍କର ଜରୁରୀ ବୈଠକ ଡକାଇଥିବା କଥା ରାଷ୍ଟ୍ରପତି ଲାସୋ କହିଛନ୍ତି। ସେ ଆହୁରି କହିଛନ୍ତି, ଯୋଜନାବଦ୍ଧ ଅପରାଧ ଏତେ ଦୂର ଆଗେଇ ଯାଇଥିଲେ ବି, ସେମାନଙ୍କ ପ୍ରତି ସମସ୍ତ ବିହିତ ଦଣ୍ଡବିଧାନ କରାଯିବ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ନିର୍ବାଚନ ରାଲି ସମୟର ଭିଡିଓରେ ଦେଖାଯାଉଛି, ଗୁଳି ଫୁଟିବା ଶବ୍ଦ ଶୁଣି ଲୋକେ ଚିତ୍କାର କରି ନିରାପଦ ସ୍ଥାନକୁ ଧାଇଁ ଯାଉଛନ୍ତି। ପୂର୍ବରୁ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, ପୂର୍ବତନ ସାଂସଦ ବିୟାହ୍‌ବିସେନ୍‌ସିଓ ୭.୫% ଭୋଟ୍‌ ଆଶା କରି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।

 

Breaking News