Report Card Odisha

| Daily Odia News

ଇଡି, ସିବିଆଇ ବିଜେପି ପାଇଁ ଭୋଟ୍‌ ଯୋଗାଡ଼ କରିପାରିବେ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିରୋଧୀ ଦଳ ନେତାଙ୍କୁ ଭୟଭୀତ କରିବା ପାଇଁ କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟ ଓ ସିବିଆଇକୁ ବ୍ୟବହାର କରୁଛନ୍ତି। ତେବେ ବିଜେପିକୁ ଇଡି ଓ ସିବିଆଇ ଭୋଟ୍‌ ଫାଇଦା ଦେଇ ପାରିବେ ନାହିଁ| ଏଭଳି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ସମରେସଜଙ୍ଗ୍‌ ଅଞ୍ଚଳରେ ଗଙ୍ଗା ନଦୀ ଗତିପଥ ପରିବର୍ତ୍ତନ ଯୋଗୁଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ଅନ୍ୟସ୍ଥାନରେ ଜମିପଟ୍ଟା ପ୍ରଦାନ କରିବା ଅବସରରେ ଉଦ୍‌ବୋଧନ ଦେଇ ମମତା କହିଥିଲେ ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି। ତେବେ ଆସନ୍ତା ଲୋକସଭା ନିର୍ବାଚନରେ ଇଡି, ସିବିଆଇ ଭଳି ସଂସ୍ଥା ବିଜେପି ପାଇଁ ଭୋଟ୍‌ ଯୋଗାଡ଼ କରିପାରିବେ ନାହିଁ ବୋଲି ଏହି ଦଳର ନେତାମାନେ ମନେ ରଖିବା ଉଚିତ୍‌। ବିଜେପିକୁ ଆସନ୍ତା ଲୋକସଭା ନିର୍ବାଚନରେ ପରାସ୍ତ କରିବାକୁ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହେବାକୁ ମମତା ଆହ୍ବାନ ଦେଇଥିଲେ। ମୁର୍ସିଦାବାଦ୍ ଓ ମାଲ୍‌ଦା ଜିଲାରେ ଗଙ୍ଗା ନଦୀର ଗତିପଥ ପରିବର୍ତ୍ତନଜନିତ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ମମତା ଅଭିଯୋଗ କରିଥିଲେ। ଗଙ୍ଗାନଦୀର ଜଳ ବିଭାଜନ ଚୁକ୍ତି ପାଇଁ ବାଂଲାଦେଶ ସରକାର ପଶ୍ଚିମବଙ୍ଗକୁ ଦେଇଥିବା ୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରୁନଥିବା ସେ ସୂଚନା ଦେଇଥିଲେ। ବିଜେପି ସରକାର ଲୋକଙ୍କ ବିକାଶ ପରିବର୍ତ୍ତେ କୁତ୍ସିତ ରାଜନୀତି ଚଳାଇଥିବା ସେ କହିଥିଲେ। ପଶ୍ଚିମବଙ୍ଗ ସରକାର ନଦୀ ଗତିପଥ ପରିବର୍ତ୍ତନ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ମମତା କହିଥିଲେ।

Breaking News