ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଅବକାରୀ ନୀତି ମାମଲାରେ ଦ୍ୱିତୀୟ ସପ୍ଲିମେଣ୍ଟାରି ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢ଼ାଙ୍କ ନାମ ଉଲ୍ଲେଖ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ | ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦ ତଦନ୍ତକାରୀ ସଂସ୍ଥା ଇଡିକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଘବ ଚଢ଼ାଙ୍କ ସହ ଏକ ବୈଠକ ହୋଇଥିଲା। ସି ଅରବିନ୍ଦ ଦେଇଥିବା ସୂଚନା ଅନୁଯାୟୀ ଏହି ବୈଠକରେ ପଞ୍ଜାବର ଅବକାରୀ କମିସନର ବରୁଣ ରୋଜାମ, ଏହି ମାମଲାର ଅଭିଯୁକ୍ତ ବିଜୟ ନାୟର ଏବଂ ପଞ୍ଜାବ ଅବକାରୀ ନିର୍ଦ୍ଦେଶାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସିବିଆଇ ପ୍ରଥମ ଥର ପାଇଁ ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରି ଚାର୍ଜସିଟରେ ଅଭିଯୁକ୍ତ ଭାବରେ ନାମିତ କରିବାର କିଛି ଦିନ ପରେ ଏପରି ଘଟିଛି। ଏହି ମାମଲାରେ ସିସୋଦିଆଙ୍କୁ ଗତ ଫେବ୍ରୁଆରି ମାସରେ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। ଅଭିଯୋଗ ରହିଛି ଯେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିବା ନେଇ ୨୦୨୧-୨୨ର ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି କେତେକ ବ୍ୟବସାୟୀଙ୍କୁ ବେଶ୍ ସୁହାଇଥିଲା। ସେମାନେ ଲାଞ୍ଚ ଦେଉଥିବାରୁ ଏହି ନୀତି ଆପ୍ ସେମାନଙ୍କୁ ସୁହାଇବା ଭଳି କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଆପ୍ ଏହାକୁ ଖଣ୍ଡନ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଏ ନେଇ ପୂର୍ବରୁ ଅଭିଯୋଗ ରହିଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..