ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ବାଚନରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ବାଚନ କମିଶନ ପୁଣିଥରେ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଟିଏ ସଂସଦୀୟ କ୍ଷେତ୍ର ଅବା ଜିଲ୍ଲା ମଧ୍ୟରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ପୋଲିସ ଅଫିସରମାନଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଲୋକସଭା ନିର୍ବାଚନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ଡେପୁଟି ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ସହାୟକ ରିଟର୍ଣ୍ଣିଂ ଅଫିସରମାନଙ୍କର ଯଦି ସଂସଦୀୟ କ୍ଷେତ୍ରରେ ନିଜ ଘର ହୋଇଥିବ ସେମାନଙ୍କୁ ତୁରନ୍ତ ବଦଳି କରିବାକୁ ମଧ୍ୟ କହିଛନ୍ତି। ନିର୍ବାଚନ କମିଶନ ଆଜି ରାଜ୍ୟ ମୁଖ୍ୟ ସଚିବ ଓ ଡିଜିପିଙ୍କୁ ଚିଠି ଲେଖି ତୁରନ୍ତ ଅନୁପାଳନ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ ରାଜ୍ୟରେ ପୋଲିସ ଡିଏସପି, ଅତିରିକ୍ତ ଏସପି, ଏସପି, ଡିଆଇଜି, ଆଇଜି ଓ ରେଞ୍ଜ ଏଡିଜିଙ୍କ ସମେତ ଜିଲ୍ଲା ନିର୍ବାଚନ ଅଧିକାରୀ, ସହାୟକ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ସହାୟକ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ କରୁଥିବା ଅଫିସର ଯଦି ଗୋଟିଏ ସଂସଦୀୟ କ୍ଷେତ୍ର ଓ ଜିଳ୍ଲାରେ ୩ବର୍ଷ ପୂରଣ କରିଥିବେ ସେମାନଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଉପରୋକ୍ତ ଅଫିସରଙ୍କ ମଧ୍ୟରୁ କେହି ଯେଭଳି ନିଜସ୍ୱ ଗୃହ ସଂସଦୀୟ କ୍ଷେତ୍ରରେ ନରହିବେ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ବାଚନ କମିଶନ ତାଗିଦ୍ କରିଛନ୍ତି । ଉପରୋକ୍ତ ଅଫିସରମାନଙ୍କ ମଧ୍ୟରୁ ଯଦି କେହି ଗୋଟିଏ ସଂସଦୀୟ କ୍ଷେତ୍ର ଓ ଜିଲ୍ଲାରେ ୩ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବେ ଓ ୪ବର୍ଷ ଧରି ରହିଥିବେ ତାଙ୍କର ବଦଳି ନିମନ୍ତେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।ପୂର୍ବରୁ ନିର୍ବାଚନ କମିଶନ ଏସଂକ୍ରାନ୍ତରେ ୨୦୨୩ ଡିସେମ୍ବର ୨୧ ତାରିଖ ଓ ୨୦୨୪ ଫେବୃୟାରୀ ୨୩ତାରିଖରେ ନିର୍ଦ୍ଦେଶନାମା ଜାରି କରିଥିଲେ । ଆଜି ଏହି ନିର୍ଦ୍ଦେଶନାମାକୁ ଅଧିକ ସ୍ପଷ୍ଟ କରାଇ ରିଟର୍ଣ୍ଣିଂ ଅଫିସର ଓ ସହାୟକ ରିଟର୍ଣ୍ଣିଂ ଅଫିସର ଯେଭଳି ନିଜ ଗୃହ ଜିଲ୍ଲା ଓ ସଂସଦୀୟ କ୍ଷେତ୍ରରେ ନରହିବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..