ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ୩ ଆସନରୁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ହେବ,ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ଏନେଇ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗୀପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ନଭେମ୍ବର ମାସରେ ଦିଦିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଦିଦିଙ୍କୁ ବିଧାନସଭାର ସଦସ୍ୟ ହେବାକୁ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ହେବ। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ହେଲେ ଭବାନୀପୁର ଆସନରୁ ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ଏହାସହ କରୋନା ମହାମାରୀକୁ ନଜରରେ ରଖି ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ଅନ୍ୟ ୩୧ଟି ଆସନରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ସାମ୍ବିଧାନିକ ଆବଶ୍ୟକତା ଓ ପଶ୍ଚିମବଙ୍ଗର ବିଶେଷ ଅନୁରୋଧକୁ ବିଚାର କରି ବିଧାନସଭା କ୍ଷେତ୍ର ୧୫୯- ଭବାନୀପୁରରେ ଉପନିର୍ବାଚନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହ କରୋନା କାଳର ସମସ୍ତ ସତର୍କତା ଭିତରେ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ବନ୍ଦୋବସ୍ତ କରିଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଉପନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ୩୧ଟି ବିଧାନସଭା ଓ ୩ ଟି ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ଭଲ ପ୍ରଦର୍ଶନ କରି ୨୯୪ ଆସନରୁ ୨୧୩ ଟି ଆସନ ଜିତିବାରେ ସକ୍ଷମ ହୋଇଥିଲେ । ମାତ୍ର ନନ୍ଦୀଗ୍ରାମ ଆସନରୁ ନିଜେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ମମତା ।
Discussion about this post