Report Card Odisha

| Daily Odia News

ବିଜୁଳି ଚୋରି ନେଇ ସାଂସଦଙ୍କ ନାଁରେ ଏତଲା ଦେଇଲା ବିଜୁଳି ବିଭାଗ…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ। ବିଜୁଳି ଚୋରି ନେଇ ସାଂସଦଙ୍କ ନାଁରେ ଥାନାରେ ଏତଲା ଦେଇଛି ବିଜୁଳି ବିଭାଗ । ମିଟର ଟାମ୍ପରିଂ କରି ବର୍ଷେ ହେବ ବିଜୁଳି ଚୋରି କରୁଥିଲେ ସାଂସଦ । ଘଟଣା ଜଣାପଡ଼ିବା ପରେ ଆଜି ବିଦ୍ୟୁତ ବିଭାଗ ଟିମ୍‌ ସାଂସଦଙ୍କ ଘରେ ପହଁଚିଥିଲା। ଚଢ଼ାଉ ବେଳେ ଉତ୍ତେଜନା ପ୍ରକାଶ ପାଇବାର ଭୟ ଥିବାରୁ ପୋଲିସ ଫୋର୍ସ ସହ ପହଞ୍ଚିଥିଲେ ବିଦ୍ୟୁତ କର୍ମଚାରୀ। ସୁରକ୍ଷା ଦୃଷ୍ଟିରୁ ସାଂସଦଙ୍କ ଘର ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ପୂର୍ବରୁ ବିଦ୍ୟୁତ ବିଭାଗ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ। ଏହାପରେ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଥିଲେ । ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ବିଜୁଳି ବିଲରେ ବର୍ଷ ବର୍ଷର ରିଡିଂ ଜିରୋ ଥିଲା। ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା । କେବଳ ସେତିକି ନୁହେଁ ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ । ସାଂସଦଙ୍କ ଘରୁ ୧୬.୫ ୱାଟର ବିଦ୍ୟୁତ ଉପକରଣ ମିଳିଥିବା ଜଣାପଡ଼ିଛି । ଯେଉଁଥିରେ ରହିଛି ୮୩ଟି ବଲ୍‌, ୧୯ଟି ପଙ୍ଖା, ୩ଟି ଏସି । ତେବେ ଯାଞ୍ଚ ପାଇଁ ଯାଇଥିବା ପୋଲିସ କର୍ମଚାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସାଂସଦଙ୍କ ବାପା ଧମକାଇଥିବା ଅଭିଯୋଗ ହୋଇଛି । ସରକାର ବଦଳିଲେ ସମସ୍ତଙ୍କ ହିସାବ ହେବ ବୋଲି ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଜିୟାରଉର ରେହମାନଙ୍କ ବାପା । ଏହି ଘଟଣା ଏବେ ସାଂସଦଙ୍କ ପାଇଁ ଅଡୁଆ ବଢ଼ାଇଛି । ସମ୍ଭଲ ହିଂସା ମାମଲାରେ ଗତକାଲି ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅପିଲ କରିଥିଲେ ସାଂସଦ ଜିଆଉର ରେହମାନ । ଏବେ ଆଉ ଏକ ମାମଲା ସାଂସଦ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିବା ଜଣାପଡ଼ିଛି। ହିଂସାକାଣ୍ଡ ଘଟଣା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରାଯାଇଛି । ଏହାସହ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ।

Breaking News