Report Card Odisha

| Daily Odia News

ମତେ ଏନ୍‌କାଉଣ୍ଟର୍‌ କରିବାକୁ ପୋଲିସ ଖୋଜୁଛି, ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମତେ ନ୍ୟାୟ ମିଳୁ……

ରିପୋର୍ଟ କାର୍ଡ / ଭୁବନେଶ୍ବର

‘ମତେ ମିଛ ଏନକାଉଣ୍ଟର୍‌ କରିବାକୁ ପୋଲିସ ଗଲା ୮ରୁ ୧୦ ଦିନ ହେବ ଖୋଜୁଛି…। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମତେ ନ୍ୟାୟ ମିଳୁ। ଉଚ୍ଚ ନ୍ୟାୟାଳୟରୁ ମତେ ନ୍ୟାୟ ମିଳୁ। ମୋ ସହିତ ନ୍ୟାୟ ହେଲେ ମୁଁ ପତ୍ନୀ ଓ ପରିବାରଙ୍କୁ ନେଇ ସମାଜର ମୁଖ୍ୟ ସ୍ରୋତରେ ରହିବି। ଭଲ ହେବାକୁ ଚାହୁଁଛି…।’ ଏଭଳି କଥା ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲ୍‌ କହୁଥିବାର ଦୁଇଟି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସକିଲ୍ ଏକ ଘର ସାମ୍‌ନାରେ ବସି ଏହି ଭିଡିଓ ରେକର୍ଡ କରିଥିବା ବେଳେ ଏହା ଭାଇରାଲ୍ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର୍‌ ସକିଲର୍‌ ଭାଇରାଲ୍ ହୋଇଥିବା ଭିଡିଓ ଆଲୋଡ଼ନ ସୃଷ୍ଟି କରିଛି। ସେ ଭିଡିଓରେ କହିଛି ଯେ ‘ମୋର ଭିଡିଓ କରିବାର ଉଦ୍ଦେଶ୍ୟ ହେଉଛି ମତେ ନ୍ୟାୟ ମିଳୁ। ଗଲା କିଛି ଦିନ ହେବ ପୋଲିସ ମତେ ଜୋର୍‌ସୋର ଖୋଜାଖୋଜି କରୁଛି। ମୁଁ କୌଣସି ଅପରାଧିକ କାର୍ଯ୍ୟକଳାପରେ ନାହିଁ। ମୁଁ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ବୁଲୁନାହିଁ। ମୋ ନାଁରେ କୌଣିସି ଅଭିଯୋଗ କରି ଏଫ୍‌ଆଇଆର୍ ନାହିଁ। ଚାରିଆଡ଼ୁ ଶୁଣିଛି ଯେ ପୁଲିସ ମତେ ମିଛ ଏନକାଉଣ୍ଟର୍‌ କରିବାକୁ ଖୋଜୁଛି। ଆଜି ମୁଁ ଭଲ ଭାବେ ଜାଣିଛି ପୋଲିସ ମିଛ କେସ୍ ବାରମ୍ବାର ଲଗାଇପାରିବେ। ତେଣୁ ଏନକାଉଣ୍ଟର୍‌ କରିବା ପୋଲିସ ପାଇଁ ବଡ଼ କଥା ନୁହେଁ। ପୋଲିସ ବାଲା ଏନକାଉଣ୍ଟର୍‌ କରିଦେବେ ଏବଂ କହିବେ ଆମେ ଧରିବାକୁ ଯାଇଥିଲୁ। ଆମକୁ ଗୁଳି ମାରିଲା, ତେଣୁ ଆମେ ଗୁଳି ମାରିଦେଲୁ। ଏହି କଥା ସମସ୍ତଙ୍କୁ ଜଣା ଯେ ପୋଲିସ କେମିତି ଏନକାଉଣ୍ଟର୍‌ କରେ। ମତେ ବି ଭଲ ଭାବେ ଜଣା।’ ଏଭଳି ଭାଇରାଲ୍ ଭିଡି଼ଓ ପ୍ରସଙ୍ଗରେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ପୋଲିସ ଏମିତି ପ୍ଲାନିଂ କେବେ କରେନି। କେହି ଯଦି ପୋଲିସକୁ ଆକ୍ରମଣ କରିବ ତା’ ପରେ ତା’ ଜବାବରେ ଯାହ କିଛି ହେବ ବୋଲି ଶ୍ରୀ ମୀନା କହିଛନ୍ତି। ସୂଚନାଯୋଗ୍ୟ ଯେ, ତତ୍କାଳୀନ ଡିସିପି ସଂଜୀବ ଆରୋରାଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ଏପ୍ରିଲ ୧୮ ରାତିରେ ମଙ୍ଗଳାବାଗ ଥାନା ପୋଲିସ ହାଡ଼ିଆ ପଠାରେ ଗ୍ୟାଙ୍ଗଷ୍ଟର୍‌ ସକିଲ ଓ ସହଯୋଗୀ ବକ୍ସିବଜାର ପେନସନ୍‌ଲେନ୍‌ର ସେକ୍ ବାବୁ ସହିତ ମୁହାଁମୁହିଁ ହୋଇଥିଲା। ପୁଲିସ ଏନକାଉଣ୍ଟର୍‌ରେ ବାବୁ ଆହତ ହୋଇଥିବା ବେଳେ ସକିଲ୍‌ ଖସିଯାଇଥିଲା। ସକିଲ୍‌ ବିରୋଧରେ ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଅାପରାଧିକ ମାମଲା ଥିବା ବେଳେ ୩ ଥର ସିଆର୍‌ପିସିର ୧୧୦ ଓ ଏନ୍‌ଏସ୍‌ଏରେ ବି ଅଟକ ରଖାଯାଇଛି। କ୍ୟାଣ୍ଟନମେଣ୍ଟ ଥାନାରେ ସର୍ବାଧିକ ୧୧ଟି ମାମଲା ରହିଛି। ମଧୁପାଟଣା, ମଙ୍ଗଳାବାଗ, ପୁରୀଘାଟ, ବାଦାମବାଡ଼ି, ଦରଘାବଜାର, କଟକ ସଦର, ଚାଉଳିଆଗଞ୍ଜ, ଚୌଦ୍ବାର, ଲାଲବାଗ ଥାନାରେ ମାମଲା ରହିଛି। ସକିଲ୍‌ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଆପରାଧିକ ଷଡ୍‌ଯନ୍ତ୍ର, ବେଆଇନ ବନ୍ଧୁକ କାରବାର ଭଳି ସଙ୍ଗିନ ମାମଲା ରହିଛି। ସେ କେନ୍ଦୁଝର ଜେଲ୍‌ରେ ଥିବା ସମୟରେ ୨୦୨୦ ଜୁନ୍‌ ୨୫ ତାରିଖରେ ତା’ ବିରୋଧରେ ଏନ୍‌ଏସ୍‌ଏ ଲାଗୁ ହୋଇଥିଲା। ୨୦୨୨ ନଭେମ୍ବର ୧୬ରେ ପୋଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ସକିଲ୍‌କୁ କଟକ ସହରରୁ ୬ ମାସ ପାଇଁ ତଡ଼ିପାର୍ ନିର୍ଦ୍ଦେଶ ଦେଇଥିଲେ।

Breaking News