ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣିଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ସାମିଲ ହୋଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ୨୦୧୪ ପୂର୍ବରୁ ଭାରତରେ ଠକେଇ ଓ ଦୁର୍ନୀତିର ଯୁଗ ଚାଲିଥିଲା । ଭୋପାଲରେ ଥିବା ସିଏମ ରାଇଜ ଗଭର୍ଣ୍ଣମେଣ୍ଟ ମହାତ୍ମା ଗାନ୍ଧି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିବନିଯୁକ୍ତ ଶିକ୍ଷକମାନଙ୍କ ତାଲିମ ତଥା କର୍ମଶାଳାରେ ମୋଦି ଯୋଗ ଦେଇ ଏପରି କହିଛନ୍ତି। ସେ କହିଛନ୍ତି, “ଦେଶବାସୀ କେବେ ହେଲେ ୨୦୧୪ ପୂର୍ବରୁ ସମ୍ମୁଖୀନ ହୋଇଥିବା ଦିନଗୁଡ଼ିକୁ ଭୁଲି ପାରିବେ ନାହିଁ। କାରଣ ୨୦୧୪ ପୂର୍ବରୁ ବ୍ୟାପକ ଠକେଇ ଓ ଦୁର୍ନୀତି ହେଉଥିଲା। ୨୦୧୪ ପୂର୍ବରୁ ଗରିବ ଲୋକଙ୍କ ଅଧିକାରକୁ ଲୁଟ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି। ଗରିବ ଲୋକମାନେ ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଉଛନ୍ତି।” ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଫାଇଲର ଗୋଟିଏ ରିପୋର୍ଟର ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦେଶର ଲୋକମାନେ ଏବେ ଟିକସ ଦେବାକୁ ଆଗେଇ ଆସୁଛନ୍ତି। ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଦାଖଲକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ୯ ବର୍ଷ ମଧ୍ୟରେ ଲୋକଙ୍କ ହାରାହାରି ଆୟ ବୃଦ୍ଧି ପାଇଛି। ସେମାନେ(ଲୋକେ) ହୃଦୟଙ୍ଗମ କରିଛନ୍ତି ଯେ ସେମାନଙ୍କ ଟଙ୍କା ଦେଶର ବିକାଶରେ ଖର୍ଚ୍ଚ ହେଉଛି।” ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଅମୃତ କାଳର ପ୍ରଥମ ବର୍ଷରୁ ହିଁ ସକାରାତ୍ମକ ଖବର ଆସିବାରେ ଲାଗିଲାଣି। ଏହାର ଅର୍ଥ ସମୃଦ୍ଧି ବଢ଼ିଛି ଓ ଗରିବୀ କମିଛି। ନୀତି ଆୟୋଗ ରିପୋର୍ଟ ଦର୍ଶାଇଛି ଯେ ୧୩.୫୦ କୋଟି ଲୋକ ଏବେ ଗରିବୀ ରେଖା ବା ବିପିଏଲ ତାଲିକାରୁ ଉପରକୁ ଉଠିଛନ୍ତି। ୫ ବର୍ଷ ମଧ୍ୟରେ ଏପରି ସଫଳତା ମିଳିଛି। ୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚିଛି ବୋଲି ଦାବି କରିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..