ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମୀ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ ଐତିହାସିକ ‘ଅପରାଜିତା’ ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଯିବ। ଉଭୟଙ୍କ ଅନୁମୋଦନ ପରେ ବିଲ୍ ଆଇନରେ ପରିଣତ ହେବ। ସେପଟେ, ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବିଲ୍ ସରକାରୀ ଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ।
ବିଲରେ କ’ଣ ଅଛି?
– ମହିଳାଙ୍କୁ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ମାମଲା ପାଇଁ କଠୋର ଦଣ୍ଡାଦେଶ ଦିଆଯିବ।
– ପୋକ୍ସୋ ଆକ୍ଟର ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ।
– ଦୁଷ୍କର୍ମକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ। ଯଦି ସେମାନଙ୍କର କାର୍ଯ୍ୟକଳାପ ଦ୍ବାରା ପୀଡିତାର ମୃତ୍ୟୁ ଘଟାଏ କିମ୍ବା ମସ୍ତିଷ୍କରେ ଗୁରୁତର କ୍ଷତି ହୁଏ ତେବେ ମୃତ୍ୟୁ ଦଣ୍ଡାଦେଶ କରାଯିବ।
– ଏହି ବିଲ୍ ଅନୁଯାୟୀ ଏକ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ ଯେଉଁଥିରେ ପ୍ରାଥମିକ ରିପୋର୍ଟର ୨୧ଦିନ ମଧ୍ୟରେ ଦଣ୍ଡ ଦିଆଯିବ।
– ଯେଉଁ ନର୍ସ ଏବଂ ମହିଳା ଡାକ୍ତରମାନେ ଯାତ୍ରା କରୁଥିବା ମାର୍ଗଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
– ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ।
– ରାଜ୍ୟରେ ‘ରାତ୍ରି ସାଥୀ’ର ଏକ ବ୍ୟବସ୍ଥା କରାଯିବ। ଯାହାଦ୍ବାରା ମହିଳାମାନେ ୧୨ ଘଣ୍ଟା ଡ୍ୟୁଟି କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରମାନେ ସେମାନଙ୍କର କର୍ତ୍ତବ୍ୟ ସମୟ ବଢ଼ାଇ ପାରିବେ।
– ରାତିରେ କାମ କରୁଥିବା ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……