Report Card Odisha

| Daily Odia News

ପ୍ରତି ୨ ମିନିଟରେ ଜଣେ ମହିଳା ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରତି ୨ ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ ହେଉଛି। ୨୦ ବର୍ଷରେ ମାତୃ ମୃତ୍ୟୁହାର ଏକ ତୃତୀୟାଂଶ ହ୍ରାସ ପାଇଥିଲେ ବି ପ୍ରତି ୨ ମିନିଟ୍‌ରେ ଜଣେ ମହିଳାଙ୍କ ଗର୍ଭଧାରଣ କିମ୍ବା ପିଲା ଜନ୍ମ ସମୟରେ ମୃତ୍ୟୁ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡ଼ିଛି। ୨୦୦୦ରୁ ୨୦୧୫ ମଧ୍ୟରେ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି କିନ୍ତୁ ୨୦୧୬ରୁ ୨୦୨୦ ମଧ୍ୟରେ ମାତୃ ମୃତ୍ୟୁହାର ସ୍ଥିର ରହିଛି । ୨୦ ବର୍ଷ ମଧ୍ୟ‌ରେ ମୋଟ୍‌ ମାତୃ ମୃତ୍ୟୁହାର ୩୪.୩ ପ୍ରତିଶତ ହ୍ରାସ ପାଇଛି। ୨୦୦୦ ମସିହାରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୩୩୮ ମାତୃ ମୃତ୍ୟୁ ହୋଇଥିବା ବେଳେ ୨୦୨୦‌ରେ ଏହି ସଂଖ୍ୟା ୨୨୩କୁ ଖସିଥିଲା। ଏହାର ଅର୍ଥ ୨୦୨୦ରେ ପ୍ରତି ଦିନ ୮୦୦ ମହିଳା ଗର୍ଭଧାରଣ କିମ୍ବା ଶିଶୁ ଜନ୍ମ ସମୟରେ ପ୍ରାଣ ହାରୁଛନ୍ତି। ଅର୍ଥାତ ପ୍ରତି ୨ ମିନିଟ୍‌ରେ ଜଣେ ମହିଳାଙ୍କ ଗର୍ଭଧାରଣ ସମୟ‌ରେ ମୃତ୍ୟୁ ହେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି, ନୂ୍ଆ ପରିସଂଖ୍ୟାନ ଏହା କହୁଛି ଯେ ଏବେ ବି ପ୍ରତି ମହିଳାଙ୍କୁ ଗର୍ଭଧାରଣ ସମୟରେ ଉତ୍ତମ ସ୍ବାସ୍ଥ୍ୟ ସେବାର ଆବଶ୍ୟକତା ଅଛି। ରିପୋର୍ଟ ଅନୁଯାୟୀ ୨୦୧୬ରୁ ୨୦୨୦ ମଧ୍ୟରେ ୮ଟି ଜାତିସଂଘ ଅଞ୍ଚଳରୁ କେବଳ ୨ଟିରେ ମାତୃ ମୃତ୍ୟୁହାର ହ୍ରାସ ହୋଇଛି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ୩୫ ପ୍ରତିଶତ ମାତୃ ମୃତ୍ୟୁହାର ହ୍ରାସ ‌ହୋଇଥିବା ବେଳେ କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆରେ ୧୬ ପ୍ରତିଶତ ମାତୃ ମୃତ୍ୟୁହାର ହ୍ରାସ ପାଇଛି। ତେବେ ୟୁରୋପ ଏବଂ ଉତ୍ତର ଆମେରିକାରେ ମାତୃ ମୃତ୍ୟୁହାର ୧୭ ପ୍ରତିଶତ ବୃଦ୍ଧି ହୋଇଛି । ୨ ୟୁରୋପୀୟ ରାଷ୍ଟ୍ର ଗ୍ରିସ ଏବଂ ସାଇପ୍ରସ୍‌ରେ ମାତୃ ମୃତ୍ୟୁ ହାର ବୃଦ୍ଧି ପାଇଛି। ୨୦୨୦ରେ ରେକର୍ଡ ହୋଇଥିବା ମୋଟ୍‌ ମାତୃ ମୃତ୍ୟୁର ୭୦ ପ୍ରତିଶତ ଆଫ୍ରିକାରେ ରେକର୍ଡ ହୋଇଛି। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ କ୍ରେସୱେଲ ତୁଳନାରେ ମାତୃ ମୃତ୍ୟୁହାର ଏଠାରେ ୧୩୬ ଗୁଣା ଅଧିକ। ଆଫଗାନିସ୍ତାନ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ଚାଡ଼,ଡିମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ, ସୋମାଲିଆ, ସାଉଥ ସୁଦାନ, ସିରିୟା ଏବଂ ୟେମେନରେ ଅତି ସାଂଘାତିକ ମାନବୀୟ ସଙ୍କଟ ଦେଖାଦେଇଛି। ବିଶ୍ବ ହାରାହାରିଠାରୁ ଏଠାରେ ମାତୃ ମୃତ୍ୟୁହାର ୨ ଗୁଣା ଅଧିକ। ରିପୋର୍ଟ ଅନୁଯାୟୀ ଅତ୍ୟଧିକ ରକ୍ତସ୍ରାବ, ସଂକ୍ରମଣ, ଅସୁରକ୍ଷିତ ଆବୋର୍ସନର ଜଟିଳତା ଏବଂ ଏଚ୍‌ଆଇଭି/ ଏଡ୍‌ସ ଭଳି ବିଭିନ୍ନ ସମସ୍ୟା ମାତୃ ମୃତ୍ୟୁର ବିଭିନ୍ନ ପ୍ରମୁଖ କାରଣ।

 

Breaking News