Report Card Odisha

| Daily Odia News

ବିରୋଧ ସତ୍ତ୍ୱେ ହେଲା ଉଚ୍ଛେଦ

ଭୁବନେଶ୍ୱର : ପ୍ରବଳ ବିରୋଧ ଓ ହଟ୍ଟଗୋଳ ସତ୍ତ୍ୱେ ବିଏମସି ଦ୍ୱାରା ଝାରପଡ଼ା ହାଟରେ ନିର୍ମାଣାଧୀନ ଦୋକାନ ଉଚ୍ଛେଦ । ଏହି କାର୍ଯ୍ୟକ୍ରମ ବେଳେ ୧୨ଟି ନିର୍ମାଣାଧୀନ ଆଜବେଷ୍ଟସ ସିଟ ଯୁକ୍ତ ଦୋକାନକୁ ବିଏମସି ଓ ବିଡ଼ିଏର ମିଳିତ ଟିମ୍ ଉଚ୍ଛେଦ କରିଥିଲେ । ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ ପୋଲିସର ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା । ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ବିଡ଼ିଏ ନାମରେ ଥିବା ୩ ଏକର ବହୁମୂଲ୍ୟ ସରକାରୀ ଜମିରେ ବେଆଇନ ଦୋକାନ ବଜାର ନିର୍ମାଣ ହେଉଥିଲା । ଏହା ଫଳରେ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଝାରପଡ଼ା କେନାଲ ରୋଡ଼  ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା ।

ଶନିବାର ସକାଳେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ହାଟରେ ପହଞ୍ଚିଥିଲେ ସ୍ଥିତି ଅନୁଧ୍ୟାନ କରିଥିଲେ । ସରକାରୀ ଜମିରେ ଅନଧିକୃତ ଦୋକାନ ନିର୍ମାଣ ଯୋଗୁଁ ସ୍ଥାନୀୟ ଜନତା ହନ୍ତସନ୍ତ ହେଉଥିଲେ । ବିଡିଏର ବହୁମୂଲ୍ୟ ଜମି ଉପରେ ଏହିଭଳି ବେଆଇନ ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଭୁବନେଶ୍ୱରବାସୀଙ୍କ ବୃହତ୍ତ ସ୍ୱାର୍ଥ ଓ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ସ୍ଥାନରେ ବହୁତଳ ମାର୍କେଟ କମ୍ପ୍ଲେକ୍ସ ଓ ପନିପରିବା ହାଟ ନିର୍ମାଣ କରାଯିବା ସହ ବର୍ତ୍ତମାନ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ଓ ଉଠା ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି କମିଶନର ସୂଚନା ଦେଇଥିଲେ । ଖାଲି ସେତିକି ନୁହେଁ ଏହି ସ୍ଥାନର ଉନ୍ନତିକରଣ ଖୁବଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଜଣାଇଥିଲେ । ହାଟ ମଧ୍ୟରେ ନୂତନ ଭାବରେ ନିର୍ମାଣାଧୀନ ବେଆଇନ ଦୋକାନ ଘର ଗୁଡିକୁ ତୁରନ୍ତ ଉଚ୍ଛେଦ ପାଇଁ କମିଶନର ନିର୍ଦେଶ ଦେଇଥିଲେ ।

କମିଶନରଙ୍କ ନିର୍ଦେଶ କ୍ରମେ ବିଏମସି ଓ ବିଡ଼ିଏର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ହାଟରେ ପହଞ୍ଚି ବେଆଇନ ଦୋକାନ ନିର୍ମାଣକୁ ଉଚ୍ଛେଦ କରିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା । ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭରେ ସ୍ଥାନୀୟ କିଛି ଲୋକ ପ୍ରବଳ ବିରୋଧ ଓ ହଟ୍ଟଗୋଳ କରିବା ସହ ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ଘେରାଉ କରିବା ପାଇଁ ଚେଷ୍ଟା କରିଥିଲେ । ଏହା ସତ୍ତ୍ୱେ ନିର୍ମାଣାଧୀନ ୧୨ଟି ଆଜବେଷ୍ଟସ ସିଟ ଯୁକ୍ତ ଦୋକାନକୁ ମିଳିତ ଟିମ ଜେସିବି ଦ୍ୱାରା ଉଚ୍ଛେଦ କରିଥିଲେ ।

Breaking News