Report Card Odisha

| Daily Odia News

ଅଢ଼େଇ କୋଟି ଦିଅ, ଇଭିଏମ୍‌ରେ ବଢ଼ାଇ ଦେବି ଭୋଟ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଭିଏମ୍‌ରେ ଭୋଟ ବଢ଼ାଇ ଦେବାକୁ ଜଣେ ଯବାନ ଅଫର୍‌ ଦେବା ମହଙ୍ଗା ପଡିଛି । ଏଥିପାଇଁ ସେ ନେତାଙ୍କୁ ମାଗିଥିଲେ ଅଢ଼େଇ କୋଟି। ଇଭିଏମ୍‌ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଏପରି କାରନାମା ପଦାକୁ ଆସିବା ପରେ ତାଙ୍କୁ ପୋଲିସ ଗିରଫ କରିଛି | ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସହରରେ ସାମ୍ନାକୁ ଆସିଛି ଏଭଳି ଘଟଣା।  ଇଭିଏମ୍‌କୁ ହ୍ୟାକ୍‌ କରିବା ପାଇଁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ନେତା ଅମ୍ବାଦାସ ଦାନବେଙ୍କ ଭାଇଙ୍କୁ ଜଣେ ଯବାନ ୨.୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମୁମ୍ବାଇ ପୋଲିସ ଉକ୍ତ ଯବାନଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ବିଧାନ ପରିଷଦରେ ବିରୋଧୀ ଦଳର ନେତା ଅମ୍ବାଦାସ ଦାନବେ ପୋଲିସରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪୧ ବର୍ଷୀୟ ଅଭିଯୁକ୍ତ ଯବାନ ମାରୁତି ଧାକାନେଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେ ଏକ ଚିପ୍‌ ଜାରିଆରେ ଇଭିଏମ୍‌ ମେସିନ୍‌କୁ ହ୍ୟାକ୍‌ କରିବେ ବୋଲି ଦାବି କରିଥିଲେ। ଏଥିସହ ଭୋଟ୍‌ ବଢ଼ାଇ ଦେବି ବୋଲି କହି ନେତାଙ୍କୁ ୨.୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଚିପ୍ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ପାଇବାରେ ସାହାଯ୍ୟ କରିପାରିବ ବୋଲି ଯବାନ ଜଣକ କହିଥିବା ଶିବସେନା ନେତା ନିଜ ଅଭିଯୋଗରେ କହିଛନ୍ତି। ଏହି ମାଲରେ ପୋଲିସ କହିଛି ଯେ ଅଭିଯୁକ୍ତ ନିଜ ଋଣ ପରିଶୋଧ କରିବାକୁ ଯାଇ ଏଭଳି କାଣ୍ଡ ଘଟାଇଛି। ସେ ଇଭିଏମ୍ ବିଷୟରେ କିଛି ଜାଣନ୍ତି ନାହିଁ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ଅଭିଯୁକ୍ତ ଜଣକ ଶିବସେନା ନେତା ଅମ୍ବାଦାସଙ୍କ ସାନଭାଇ ରାଜେନ୍ଦ୍ର ଦାନବେଙ୍କୁ ବସ୍‌ଷ୍ଟାଣ୍ଟ ନିକଟରେ ଥିବା ଏକ ହୋଟେଲରେ ଭେଟିଥିଲେ। ଯବାନ ଜଣକ ତାଙ୍କୁ ୨.୫ କୋଟି ଟଙ୍କା ମାଗିଥିଲେ। ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ୧.୫ କୋଟି ଟଙ୍କାରେ ଡିଲ୍‌ ଶେଷ ହୋଇଥିଲା। ପରେ ଅମ୍ବାଦାସ ନାଦବେ ଏନେଇ ପୋଲିସ କୁ ସୂଚନା ଦେଇଥିଲେ। ଏହାକୁ ଆଧାର କରି ସାଧା ପୋଷାକରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଯବାନ ଜଣକ ରାଜେନ୍ଦ୍ର ଦାନବେଙ୍କ ଠାରୁ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ ହୋଇଛି। ଆଇପିସି ଧାରା ୪୨୦ ଓ ୫୧୧ ଅନୁଯାୟୀ ଯବାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଜଣକ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ପଠାର୍ଡିର  ବାସିନ୍ଦା । ଜାମ୍ମୁ କାଶ୍ମୀରର ଉଦାମପୁରରେ ସେ ପୋଷ୍ଟ ହୋଇଥିଲେ।

Breaking News