ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା ରାହୁଲ୍ ଗାନ୍ଧୀଙ୍କ କ୍ଷେତ୍ରରେ ମୌଳିକ ଗଣତାନ୍ତ୍ରିକ ନୀତିନିୟମ ଲାଗୁ ହେବା ଉଚିତ ବୋଲି ଜର୍ମାନି କହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ମାନିର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଆନ୍ନାଲେନା ବେର୍ବକ୍ କହିଛନ୍ତି, ଭାରତୀୟ ବିରୋଧୀ ରାଜନେତା ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ଦିଆଯାଇଥିବା ରାୟ ଏବଂ ତାଙ୍କ ସଂସଦୀୟ ଜନାଦେଶ ବାତିଲ ପ୍ରସଙ୍ଗରେ ଆମେ ଅବଗତ ଅଛୁ। ଆମ ଜାଣିବାରେ, ଗାନ୍ଧୀ ଏହି ଅଦାଲତ ରାୟକୁ ଚାଲେଞ୍ଜ୍ କରିବା ସ୍ଥିତିରେ ଅଛନ୍ତି। ତା’ପରେ ଯାଇ ଜଣାପଡ଼ିବ ଯେ, ଅଦାଲତଙ୍କର ଏହି ରାୟ କାଏମ ରହିବ କି, ନାହିଁ। ତାଙ୍କ ଜାନାଦେଶକୁ ବାତିଲ କରାଯିବାରେ କୌଣସି ଭିତ୍ତି ଅଛି କି, ନାହିଁ। ମୁଖପାତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟିକ ମାନଦଣ୍ଡର ସ୍ବାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ କରାଯିବ ବୋଲି ଜର୍ମାନି ଆଶା କରୁଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଆମେରିକା କହିଥିଲା ଯେ, ଆମେରିକା ରାହୁଲ୍ ଗାନ୍ଧୀଙ୍କ ମାମଲା ଉପରେ ଦୃଷ୍ଟି ରଖିବା ସହିତ ଭାରତ ସରକାରଙ୍କ ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବାକ୍ ସ୍ବାଧୀନତା ପ୍ରସଙ୍ଗ ସଂକ୍ରାନ୍ତ ପ୍ରତିବଦ୍ଧତା ବିଷୟରେ ମତବିନିମୟ କରିଛି। ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଗତ ଶୁକ୍ରବାର ଦିନ କେରଳର ୱାୟନାଡ଼ର ଲୋକସଭା ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିଥିଲେ। ଏହାପରେ, ଲୋକସଭା ସଚିବାଳୟ ତାଙ୍କ ସାଂସଦପଦ ରଦ୍ଦ କରିବା ସହିତ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍ ଜାରି କରିଛି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..