Report Card Odisha

| Daily Odia News

ନକଲି ଡାକ୍ତର ଫେସବୁକ୍-ମାଟ୍ରିମୋନିରେ ଯୁବତୀଙ୍କୁ ଫସାଇ ଲୁଟୁଥିଲେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଜକୁ ଏମକେସିଜିରେ ଗାଇନୋକୋଲୋଜିଷ୍ଟ ଡାକ୍ତର ବୋଲି ଫେସବୁକ୍ ଓ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ କଟକର ପ୍ରଭାସ ରାଜ । ଆଉ ବିଜ୍ଞାପନକୁ ଆଧାର କରି ଅନେକ ଝିଅଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ସୁଯୋଗ ଦେଖି ଯୁବତୀମାନଙ୍କୁ ଡାକୁଥିଲେ ଆଉ ସେମାନଙ୍କ ମୋବାଇଲ, ପର୍ସ ଓ ଟଙ୍କା ନେଇ ଚମ୍ପଟ ମାରୁଥିଲେ। ପ୍ରକୃତରେ ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିଲେ ପ୍ରଭାସ । ପ୍ରଭାସଙ୍କ ବିରୋଧରେ ଏକାଧିକ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ତାକୁ ଗିରଫ କରାଯାଇଛି । ମାଟ୍ରିମୋନିଆଲ ସାଇଟ୍‌ରେ ମିଠା ମିଠା କଥା କହି ଡାକ୍ତରର ପରିଚୟ ଦେଇ ସୁନ୍ଦରୀ ଯୁବତୀଙ୍କ ହୃଦୟ ଜିତୁଥିଲେ । ସେମାନଙ୍କୁ ବଡ ବଡ ରେଷ୍ଟୁରାଣ୍ଟ, ସପିଂ ମଲକୁ ବୁଲେଇ ନେଇ ଚଞ୍ଚକତା କରି ଲୁଟି ନେଉଥିଲେ ମୋବାଇଲ ସହ ଲକ୍ଷାଧିକ ଟଙ୍କା । ଏପରି ୪୨୦ ପ୍ରେମିକ ପ୍ରବର ଲୁଟେରାକୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ବଡମ୍ବା ଅଞ୍ଚଳର ପ୍ରଭାସ ଦାସ । କିଛିଦିନ ତଳେ ଜଗସିଂହପୁର ରଘୁନାଥପୁର ଅଞ୍ଚଳର ରଶ୍ମିତା (ଛଦ୍ମନାମ)ଙ୍କୁ ମାଟ୍ରିମୋନିଆଲ ସାଇଟରୁ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବ ଦେଇଥିବା ଯୁବକ ନିଜକୁ ପ୍ରଭାସ ରାଜ ଏବଂ ସେ ଏମ୍‌କେସିଜିରେ ଡାକ୍ତର ଥିବା ଦର୍ଶାଇଥିଲେ । ଯୁବକ ଉଚ୍ଚ ଶିକ୍ଷିତ ଦେଖିବା ପରେ ରଶ୍ମିତା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ପରେ ପ୍ରଭାସ ତାଙ୍କ ହ୍ୱାଟସ୍‌ଆପ୍‌ରେ ଚାଟିଂ କରିଥିଲେ । ତା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ଏହି ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ସ୍ଥିର ହେଲା । ଉଭୟ ଭୁବନେଶ୍ୱରର ଏକ ତାରକା ରେଷ୍ଟୁରାଣ୍ଟରେ ଦେଖା କରିବା ପାଇଁ ସ୍ଥିର କଲେ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଏକ ରେଷ୍ଟୁରାଣ୍ଟରେ କ୍ୟାଣ୍ଡେଲ ଲାଇଟ୍‌ ଡିନର ପାଇଁ ବସିଲେ । ସୁସ୍ୱାଦୁ ଖାଇବା ମଧ୍ୟ ଅର୍ଡର ହେଲା । ଅଧା ଖାଇବା ବେଳେ ପ୍ରଭାସ ହଠାତ୍‌ ରଶ୍ମିତାଙ୍କ ଉପରକୁ ଚଟଣୀ ପକାଇ ଦେଇଥିଲେ । ପରେ ତାଙ୍କୁ ୱାସ୍‌ରୁମ ଯାଇ ଧୋଇବା ପାଇଁ କହିଥିଲେ । ରଶ୍ମିତା ୱାସ୍‌ରୁମ ଯିବା ପରେ ତାଙ୍କ ପର୍ସ ସହ ମୋବାଇଲ ଧରି ଛୁ ମାରିଥିଲେ ପ୍ରଭାସ । ରଶ୍ମିତା ୱାସ୍‌ରୁମରୁ ଫେରି ଦେଖିବା ବେଳକୁ ପ୍ରଭାସ ଗାଏବ । ଏନେଇ ସଙ୍ଗେ ସଙ୍ଗେ ସେ ସହିଦନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ଏତଲାକୁ ଭିତ୍ତି କରି ରବିବାର ବାଲେଶ୍ୱରରୁ ଅଭିଯୁକ୍ତ ପ୍ରଭାସକୁ ଗିରଫ କରିଛି । ପୁଲିସ ତା ବିରୋଧରେ ଆଇପିସିର ଦଫା ୪୨୦ ଲଗାଇ ପଚରାଉଚରା କରୁଛି ।

 

Breaking News