ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି। ଡ୍ୟାମର ଦ୍ୱିତୀୟ ବନ୍ୟା ଜଳ ଛଡାଯିବା ନେଇ ବଲାଙ୍ଗୀର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲାପାଳ, ବଲାଙ୍ଗୀର ବିଡିଓ ଏବଂ ତହସିଲଦାର ଓ ଲୋଇସିଂହା ବିଡିଓ ଏବଂ ତହସିଲଦାରଙ୍କୁ ଏନେଇ ସୂଚନା ଦିଆଯାଇଛି। ଡ୍ୟାମ୍ର ବନ୍ୟା ଜଳ ଛଡାଯିବା ପରେ ଜଳସ୍ତର କମିବା ଆରମ୍ଭ କରିଥିବା ଜଣାପଡିଛି। ପ୍ରାୟ ଦୁଇଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁକ୍ତେଲ ଡ୍ୟାମ୍ର ଜଳସ୍ତର ବଢ଼ିଥିଲା। ଏବେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଏଲ ଇରିଗେସନ ଆରମ୍ଭ କରାଯାଇଛି। ଡ୍ୟାମ୍ର ବାମ ଏବଂ ଡାହାଣ ପଟେ ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯାଇଥିବାରୁ ଏହାକୁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଦଶହରା ଭେଟି ବୋଲି କୁହାଯାଉଛି। ଏହି ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯିବା ଯୋଗୁ ୨୦୨୬ରେ ହେବାକୁ ଥିବା ଫାଇନାଲ ଇରିଗେସନ ଟ୍ରାଏଲ ପକ୍କା ହୋଇଥିବା କୁହାଯାଉଛି। ଏହାକୁ ନେଇ ପ୍ରଶାସନ ବିଭାଗ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି । ଅନ୍ୟପଟେ ରବିବାର ଅପରାହ୍ଣ ୪ଟାରୁ ଡ୍ୟାମ୍ ଦ୍ବିତୀୟ ବନ୍ୟା ଜଳ ଛଡାଯାଇଥିବାରୁ କୁମିଆପାଲି ଗାଁର ଯେଉଁ କିଛି ଲୋକଙ୍କ ଘର ଭିତରକୁ ପାଣି ପଶିଥିଲା ତାହା କମିବା ଆରମ୍ଭ କରିଛି ବୋଲି କୁହାଯାଉଛି । ସୋମବାର ସକାଳ ସୁଦ୍ଧା ଡ୍ୟାମ୍ର ପାଣି ପାଖାପାଖି ୧ ମିଟର କମିଯିବ ବୋଲି ଲୋୟର ସୁକ୍ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହଠାତ୍ ଡ୍ୟାମ ଭିତର ଜଳସ୍ତର ବଢ଼ିଯାଇଥିଲା। ଫଳରେ କୁମିଆପାଲି ଗାଁର ନଦୀଖଣ୍ଡି ପାଖରେ ଥିବା କିଛି ଲୋକଙ୍କ ଘରକୁ ପାଣିପଶିଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସ୍ଥିତି ଆକଳନ କରାଯାଇ ଡ୍ୟାମ୍କୁ ଅପରାହ୍ନରେ ବନ୍ୟାଜଳ ଛଡାଯାଇଛି । ଇତିମଧ୍ୟରେ ଡ୍ୟାମ୍ର ଉଭୟ ବାମ ଓ ଡାହାଣ ପଟ ପମ୍ପ ହାଉସରେ ଟ୍ରାଏଲ ରନ କରାଯାଇଛି । ଟ୍ରାଏଲ ଇରିଗେସନ ଆରମ୍ଭହୋଇଯାଇଥିବାରୁ ଚାଷୀଙ୍କ ଜମିକୁ ପାଣି ପହଞ୍ଚିବା ଲକ୍ଷ୍ୟ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯାଇଥିବା ଏବଂ ଉଭୟ ବାମ ଓ ଡାହାଣ ପଟ ପମ୍ପ ଠିକ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି । ଆଗକୁ ଟ୍ରାଏଲ ଇରିଗେସନ ଜାରି ରହିବ। ବିଭିନ୍ନ ସ୍ଥାନରେ ପାଇପ ଜଳସେଚନ କିଭଳି ଚାଳିଛି ତାର ନିରୀକ୍ଷଣ କରାଯାଉଛି ବୋଲି ଇଂ ଭୋଇ ସୂଚନା ଦେଇଛନ୍ତି।
More Stories
ହାତୀଙ୍କ ପାଇଁ ଘର ତିଆରିବେ ସରକାର……
ଭିଜିବ ଦଶହରା,୪ ଦିନ ବର୍ଷିବ……
ଆଜିଠୁ ନୂଆ ସମୟ:ସକାଳ ୮ରେ ଖୋଲିବ ନନ୍ଦନକାନନ……