ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ହାଟପଦାଠାରେ ମଙ୍ଗଳବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଏବଂ ତାଙ୍କ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ସମ୍ପତ୍ତି ପାଇଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ଏବଂ ନାତିକୁ ଗିରଫ କରିଛି। ଅଭିଯୁକ୍ତର ଜଣେ ଭଉଣୀ ହତ୍ୟାକାଣ୍ଡ ନେଇ ଅଭିଯୋଗ କରିବା ପରେ ପୋଲିସ ପରିବାରର ୪ ଜଣ ଙ୍କୁ ଜେରା କରିବା ପରେ ୨ ଜଣଙ୍କୁ ଗିରଫ କରିଛି। ନିଜ ମା’ ଓ ଭଉଣୀଙ୍କୁ ଅଭିଯୁକ୍ତମାନେ ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଘର ଭିତରେ ନିଆଁ ଲଗାଇ ପୋଡ଼ିଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୈରେନ୍ଦ୍ରୀ ଦୀକ୍ଷିତ (୬୨) ଓ ତାଙ୍କ ମା’ ସ୍ନେହଲତା ଦୀକ୍ଷିତ (୯୦) ରହୁଥିବା ବେଳେ ତଳ ମହଲାରେ ତାଙ୍କର ଭାଇ ଜଗନ୍ନାଥ ଦୀକ୍ଷିତ ନିଜର ପରିବାର ସହିତ ରହୁଛନ୍ତି। ସୈରେନ୍ଦ୍ରୀ ଅବିବାହିତା ହୋଇଥିବା ବେଳେ ବୃଦ୍ଧାବସ୍ଥା ଯୋଗୁଁ ସ୍ନେହଲତା ଶଯ୍ୟାଶାୟୀ ଥିଲେ। ତେବେ ଗତକାଲି ରାତ୍ରିରେ ଅଚାନକ ଉପର ମହଲାରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ଦଳ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସୈରେନ୍ଦ୍ରୀ ଓ ସ୍ନେହଲତାଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲା। ଅପରପକ୍ଷରେ ଏହା ସମ୍ପତ୍ତି ଓ ଜମି ପାଇଁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଶିକ୍ଷୟିତ୍ରୀଙ୍କ ଭଉଣୀ ଇନ୍ଦ୍ରାଣୀ ପୁରୋହିତ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜଗନ୍ନାଥ ଦୀକ୍ଷିତ କହିଛନ୍ତି ଯେ, ରାତିରେ ଆମେ ଶୋଇଥିବାବେଳେ ବାହାରୁ ଜଣେ ଡାକ ଦେଇ ଘର ଉପର ମହଲା ଜଳୁଥିବା ଖବର ଦେବାରୁ ତୁରନ୍ତ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିଲୁ। ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଅଟେ। ମୋତେ ମୋ’ ଭାଗର ଜମି ଦିଆଯାଇଥିଲା। ମା’ ମଧ୍ୟ ଜମି ରଖିଥିଲେ। ମୁଁ ବାପାଙ୍କ ସମସ୍ତ କ୍ରିୟାକର୍ମ କରିଛି। ମୋର ବଡ଼ଭଉଣୀ ସହିତ ଆମର ସମ୍ପର୍କ ଭଲ ଥିଲା ବୋଲି ଜଗନ୍ନାଥ କହିଛନ୍ତି। ଏ ସମ୍ପର୍କରେ ସଦର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ସାବିତ୍ରୀ ବଳ କହିଛନ୍ତି। ପୋଲିସ ଓ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳ ପରିଦର୍ଶନ କରିଥିଲା।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..