ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟର ପୁଲିସ ମହାନିରୀକ୍ଷକ, ଉପ ମହାନିରୀକ୍ଷକ ଏବଂ ଉପାୟୁକ୍ତଙ୍କ ସମେତ ମୋଟ ୭ ଜଣଙ୍କ ବିରୁଦ୍ଧରେ ମିଜୋରାମ ସରକାରଙ୍କ ପକ୍ଷରୁ ଏତଲା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁଲାଇ ୨୬ରେ ଦୁଇ ରାଜ୍ୟ ସୀମାନ୍ତରେ ଘଟିଥିବା ସଂଘର୍ଷରେ ୬ ଜଣ ପ୍ରାଣ ହରାଇଥିବାବେଳେ ଉଭୟ ପକ୍ଷରୁ ୧୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣା ପରବର୍ତ୍ତୀ ସମୟରେ ଉତ୍ତେଜନା ବୃଦ୍ଧିପାଇବାରେ ଲାଗିଛି। ‘ଏଫ୍ଆଇଆର୍’ରେ ଉଲ୍ଲେଖ ଥିବା ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ଆସାମର ଜଣେ ଇନ୍ସପେକ୍ଟର୍ ଜେନେରାଲ୍, ଜଣେ ଡେପୁଟି ଇନ୍ସପେକ୍ଟର୍ ଜେନେରାଲ୍ ଓ ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍। କଛାର ଜିଲ୍ଲା ଡେପୁଟି କମିସନର୍ଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ‘ଏଫ୍ଆଇଆର୍’ରେ ଉଲ୍ଲେଖ ଅଛି ଯେ, ସ୍ବଳ୍ପସଂଖ୍ୟକ ପୁଲିସ ଥିବାରୁ ନିଜର ଛାଉଣି (କ୍ୟାମ୍ପ୍) ସୁରକ୍ଷିତ ରଖିବା ଉଦ୍ୟମ ବୃଥା ହୋଇଥିଲା। ଘଟଣା ସଂକ୍ରାନ୍ତରେ ଜାଣିବା ପରେ କୋଲାସିବ ଏସ୍ପି ଏବଂ ତାଙ୍କ ଦଳ ତୁରନ୍ତ ଘଟଣାସ୍ଥଳକୁ ଆସି ଆସାମ ପୁଲିସ ସହ ଆପୋସ ବୁଝାମଣା କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ସେମାନେ କିନ୍ତୁ, ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ନ ଥିଲେ ବରଂ ଜବରଦସ୍ତି କୋଲାସିବ ଏସ୍ପିଙ୍କୁ କହିଲେ ଯେ, ସମ୍ପୃକ୍ତ ଅଞ୍ଚଳ ଆସାମର ପରିସୀମା ମଧ୍ୟରେ ପଡୁଛି। ତେଣୁ, ସ୍ବୟଂ ଆସାମର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେଠାରେ କ୍ୟାମ୍ପ୍ଟିଏ ବସାଇବା ସେମାନଙ୍କର ଉଦ୍ଦେଶ୍ୟ। ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବଳପୂର୍ବକ ମିଜୋରାମ ‘ବିଓପି’କୁ ଦଖଲ କରି ଗୋଟାଏ କ୍ୟାମ୍ପ୍ ନିର୍ମାଣ କରିବା ଲାଗି ଆସାମ ପୁଲିସ ଟିମ୍ ୨୦ଟି ଗାଡ଼ିରେ ତମ୍ବୁ ଏବଂ ଅନ୍ୟାନ୍ୟ ଉପକରଣ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..
ଆଜିଠାରୁ ଜନଗଣନା…..