ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମ-ମେଘାଳୟ ସୀମାର ମୁକ୍ରୋହ ଗ୍ରାମ ନିକଟରେ ଏକ ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଆସାମ ବନ ବିଭାଗ କର୍ମଚାରୀଙ୍କ ଗୁଳିମାଡ଼ରେ ମେଘାଳୟର ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ଆକ୍ରମଣରେ ଆସାମର ଜଣେ ଫରେଷ୍ଟ୍ ଗାର୍ଡଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଆସାମ ଏବଂ ମେଘାଳୟ ମଧ୍ୟରେ ଉତ୍ତେଜନା ପ୍ରକାଶ ଦେଖା ଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍କାଳ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ସହ ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଏହି ଗୁଳିକାଣ୍ଡ ଘଟଣା ଆଜି ସକାଳେ ଘଟିଛି। ପ୍ରାୟ ୧୫ ଜଣ ଗ୍ରାମବାସୀ ଜଙ୍ଗଲରୁ ଛୋଟ ଟ୍ରକ୍ରେ କାଠ ବୋଝେଇ କରି ଆସୁଥିବା ବେଳେ ସେମାନଙ୍କ ଉପରେ ଆସାମ ବନ କର୍ମଚାରୀମାନେ ଗୁଳିମାଡ଼ କରିଥିଲେ। ସେମାନେ ପ୍ରଥମେ ଟ୍ରକ୍ର ଟାୟାରକୁ ଗୁଳି କରିଥିଲେ ଏବଂ ଟ୍ରକ୍ ସେଠାରେ ଅଟକି ଯାଇଥିଲା। ତେବେ ବନ କର୍ମଚାରୀମାନଙ୍କୁ ନିକଟସ୍ଥ ଗ୍ରାମବାସୀମାନେ ଅଚାନକ ଘେରିଯିବା ପରେ ସେଠାରୁ ମୁକୁଳିବା ପାଇଁ ବନ କର୍ମଚାରୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରାମବାସୀଙ୍କ ଆକ୍ରମଣରେ ମଧ୍ୟ କେତେକ ଫରେଷ୍ଟ୍ ଗାର୍ଡ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଆସାମ ବନ କର୍ମଚାରୀଙ୍କ ଗୁଳିରେ ମେଘାଳୟର ୫ ଜଣଙ୍କ ମୃତ୍ୟୁ ହୋଇଥିବା ମେଘାଳୟର ଡେପୁଟି ଆଇଜି ଡେଭିସ୍ ଏନ୍ଆର୍ ମାରକ କହିଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଂଗମା ଏ ବାବଦରେ ବନ ବିଭାଗ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ପୀଡ଼ିତ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..