Report Card Odisha

| Daily Odia News

ରକ୍ତ ନେଇ HIV ସଂକ୍ରମିତ ହେଲେ ୫ ଶିଶୁ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା ବେଳେ HIV ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାସ୍ତରୀୟ ତଦନ୍ତରୁ ଜଣାପଡ଼ିଛି ଯେ ରକ୍ତଦାତାଙ୍କ ଠାରୁ ଏହି HIV ସଂକ୍ରମଣ ଶିଶୁମାନଙ୍କ ନିକଟକୁ ବ୍ୟାପିଛି, ଯାହାକି ରକ୍ତ ଯାଞ୍ଚ ପ୍ରଣାଳୀରେ ଏକ ବଡ଼ ଧରଣର ତ୍ରୁଟିକୁ ଦର୍ଶାଉଛି। ଏହି ଶିଶୁମାନଙ୍କୁ ତିନୋଟି ଭିନ୍ନ ରକ୍ତ ଭଣ୍ଡାରରୁ ସର୍ବମୋଟ ୧୮୯ ୟୁନିଟ୍ ରକ୍ତ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ସାଧାରଣ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରକ୍ତ ଭଣ୍ଡାରର ଦାୟିତ୍ୱରେ ଥିବା ଜଣେ ପାଥୋଲୋଜିଷ୍ଟ ଡାକ୍ତର ଦେବେନ୍ଦ୍ର ପଟେଲ ଏବଂ ଦୁଇ ଜଣ ଲ୍ୟାବ୍ ଟେକ୍ନିସିଆନ୍‌ଙ୍କୁ ସସପେଣ୍ଡ କରାଯାଇଛି। ସତନା ଜିଲା ହସ୍ପିଟାଲର ପୂର୍ବତନ ସିଭିଲ୍ ସର୍ଜନ ଡାକ୍ତର ମନୋଜ ଶୁକ୍ଳାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଥମ HIV ପଜିଟିଭ୍ ମାମଲା ଚଳିତ ବର୍ଷ ମାର୍ଚ୍ଚରେ ସାମ୍ନାକୁ ଆସିଥିଲା। ଏପ୍ରିଲ୍ ସୁଦ୍ଧା ଅଧିକ ଶିଶୁ ସଂକ୍ରମିତ ହୋଇଥିଲେ ମଧ୍ୟ ହସ୍ପିଟାଲ୍ କିମ୍ବା ଜିଲ୍ଲା କର୍ତ୍ତୃପକ୍ଷ ପ୍ରାୟ ୯ ମାସ ଧରି ଏହି ତଥ୍ୟକୁ ସାର୍ବଜନୀନ କରି ନଥିଲେ କିମ୍ବା କୌଣସି ଜରୁରୀକାଳୀନ ଅଡିଟ୍ କରି ନଥିଲେ।କଂଗ୍ରେସ ନେତା ଡାକ୍ତର ବିକ୍ରାନ୍ତ ଭୂରିଆ ଏହାକୁ ‘ଅପରାଧିକ ଅବହେଳା’ ବୋଲି କହିଛନ୍ତି ଏବଂ ରକ୍ତ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାରେ ଘୋର ବିଫଳତା ଦେଖାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଶିଶୁମାନଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ, ଏହି ଘଟଣା ସେମାନଙ୍କ ଉପରେ ଆଜୀବନ ଚିକିତ୍ସା ଏବଂ ସାମାଜିକ ଅପମାନର ଭାର ବଢ଼ାଇଛି। ଏହି ସଂକଟ ପରେ ରକ୍ତ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଦାବି ଜୋର୍ ଧରିଛି।

Breaking News