ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଷ୍ପତ୍ତି ନେବି ପ୍ରକାଶ କରିଥିବା କଟକ-ବାରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗୁରୁବାର ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତେବେ ଏହି ଭେଟଘାଟ ରାଜ୍ୟରେ ନୂଆ ରାଜନୈତିକ ସମୀକରଣର ସମ୍ଭାବନା ସୃଷ୍ଟି କରିଛି। ବିଜୟ ବାବୁ ଜଣେ ବରିଷ୍ଠ ରାଜନେତା; ଆଜି ମୁଁ ତାଙ୍କ ସହ ଆଲୋଚନା କରିବା ପାଇଁ ଆସିଥିଲି ବୋଲି ଶ୍ରୀ ମୋକିମ୍ ଗଣମାଧ୍ୟମକୁ ଆଜିର ଘଟଣା ପରେ ସୂଚନା ଦେଇଛନ୍ତି। ତେବେ ଏହି ଆଲୋଚନା ନୂଆ ଦଳ ଗଠନ ଉଦ୍ଦେଶ୍ୟରେ ଥିଲା କି ବୋଲି ପ୍ରଶ୍ନକୁ ଶ୍ରୀ ମୋକିମ୍ ଏଡ଼ାଇ ଯାଇଛନ୍ତି। ଶ୍ରୀ ମୋକିମଙ୍କ ନୂଆ ଦଳ ଗଠନରେ ବିଜୟଙ୍କ ବଡ଼ ଭୂମିକା ରହିବ ବୋଲି ଆଲୋଚନା ହେଉଛି।ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ରଖି ଆସିଥିବା ଶ୍ରୀ ମହାପାତ୍ର ଜଣେ ଅଭିଜ୍ଞ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ। ବିଜେଡିରୁ ବିଦାୟ ନେବା ପରେ ଶ୍ରୀ ମହାପାତ୍ର ଓଡ଼ିଶା ଗଣ ପରିଷଦ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ। ଏପରିସ୍ଥଳେ ଶ୍ରୀ ମହାପାତ୍ରଙ୍କ ସହଯୋଗରେ ବିଭିନ୍ନ ଦଳର ନେତାଙ୍କୁ ନିଜ ଆଡ଼କୁ ଆଣିବାରେ ଶ୍ରୀ ମୋକିମ୍ ପ୍ରୟାସ କରୁଥିବା କୁହାଯାଉଛି। ଧର୍ମ ନିରପେକ୍ଷ ବିଚାର ଧାରା ଆଧାରରେ ଉଭୟ ବିଜେଡି ଓ କଂଗ୍ରେସରୁ ବହୁ ନେତାଙ୍କୁ ସେ ନିଜ ଦଳକୁ ଆଣିବା ପାଇଁ ପ୍ରୟାସ କରିପାରନ୍ତି। ବିକଳ୍ପ ସନ୍ଧାନରେ ଥିବା ବିଜେଡି ଓ କଂଗ୍ରେସର ବହୁ ପୂର୍ବତନ ବିଧାୟକ ଓ ସାଂସଦ ମୋକିମଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଉଛି।






More Stories
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..
୧୮ରୁ ଖୋଲିବ ସ୍କୁଲ୍….