Report Card Odisha

| Daily Odia News

ମୋ ପାଇଁ ଲୋକ ଶ୍ରେଷ୍ଠ,ଦଳ ନୁହେଁ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ, ଦଳ ନୁହେଁ। ମୋର ଭବିଷ୍ୟତ କ’ଣ ହେବ, ତାହା ଲୋକେ ନିଷ୍ପତ୍ତି ନେବେ। ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା। ଆପଣ ଯେଉଁ ଚିହ୍ନରେ ଛିଡ଼ା ହେବେ, ଆମେ ଆପଣଙ୍କ ସହ ରହିବୁ। ବିଜେଡିର ପୂର୍ବତନ ବିଧାୟକ ଭୂପିନ୍ଦର ସିଂଙ୍କ ଏଭଳି ସଙ୍କେତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଭୂପିନ୍ଦର ବିଜେଡି ଛାଡ଼ିପାରନ୍ତି ବୋଲି ଆଲୋଚନା ହେଉଛି। ବିଜେଡିକୁ ନିଶାଣ କରି କଂଗ୍ରେସକୁ ପ୍ରଶଂସା କରିବା ପରେ ଭୂପିନ୍ଦର କଂଗ୍ରେସ ଆଡ଼କୁ ଢଳୁଥିବା କୁହାଯାଉଛି। ଗଣମାଧ୍ୟମରେ ଭୂପିନ୍ଦର କହିଛନ୍ତି ଯେ, ଦେଶ ଓ ରାଜ୍ୟରେ କଂଗ୍ରେସର ଗ୍ରାଫ୍ ବଢ଼ୁଛି। ଓଡ଼ିଶାରେ ବିଜେଡି ଯଦି ବିରୋଧୀ ଦଳ ଭୂମିକା ଠିକ୍ ଭାବେ ନିର୍ବାହ ନ କରିବ, କଂଗ୍ରେସ ଏହାର ଫାଇଦା ନେବ। ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ। ଲୋକ କଂଗ୍ରେସ କଥା ଚିନ୍ତା କଲେଣି। ଲୋକେ ବିଜେଡିଠାରୁ ଦୂରେଇ ନାହାନ୍ତି, କିନ୍ତୁ ଲୋକେ ବିରୋଧୀ ଦଳଠାରୁ ଯାହା ଆଶା କରୁଛନ୍ତି; ତାହା ପାଉ ନାହାନ୍ତି। ବିଜେଡିରେ ଅସନ୍ତୋଷ ପ୍ରସଙ୍ଗରେ ଭୂପିନ୍ଦର କହିଛନ୍ତି ଯେ, ଦଳ ଭିତରେ ଅସନ୍ତୁଷ୍ଟ ଅଛନ୍ତି କି ନାହିଁ; ତାହା ଆମେ ଟିଭି‌େ‌ର ଦେଖୁଛୁ। କେଉଁ କାରଣରୁ ନେତା ଅସନ୍ତୁଷ୍ଟ ଅଛନ୍ତି, ତାହା ମୁଖ୍ୟ ପ୍ରସଙ୍ଗ। ନବୀନ ପଟ୍ଟନାୟକ କହିଥିଲେ ହସ୍ପିଟାଲରୁ ଗଲେ ନେତାଙ୍କୁ ଦେଖା କରିବେ। ଏବେ ତାଙ୍କୁ ନେତାମାନେ ଭେଟୁଛନ୍ତି। ନବୀନ ପଟ୍ଟନାୟକ କେବଳ ମୋର ସମ୍ପତ୍ତି ବୋଲି କେହି ଏପର୍ଯ୍ୟନ୍ତ ଦାବି କରିନାହାନ୍ତି। ସମସ୍ତେ ସବୁକଥା ଦେଖୁଛନ୍ତି। ସମସ୍ତଙ୍କୁ ନେଇ ନିଷ୍ପତ୍ତି ନେଲେ କେବେ ତାହା ଭୁଲ୍ ହେବନି। କିଛି ଲୋକଙ୍କ ଦ୍ବାରା ଗୋଟିଏ ଦଳ ପରିଚାଳିତ ହେଲେ ଅସନ୍ତୋଷ ଆସିବ ଏବଂ ଏହା ଦଳ ପାଇଁ କ୍ଷତିକାରକ ହେବ, ଏଥିରେ ସନ୍ଦେହ ନାହିଁ। ଲୋକେ ବିଜେଡିଠୁ ଦୂରେଇ ନାହାନ୍ତି। ବିଜେଡି ମୁଖ୍ୟ ବିରୋଧୀ ଦଳ ଭୂମିକା ନିର୍ବାହ କରୁ ବୋଲି ଲୋକେ ବିଜେଡିଠୁ ଆଶା କରୁଛନ୍ତି। ୨୦୨୪ ନିର୍ବାଚନ ପରଠୁ ଏପର୍ଯ୍ୟନ୍ତ ସଂସଦରେ ଆମ ଆଭିମୁଖ୍ୟ ସ୍ପଷ୍ଟ ହୋଇପାରିନି। ଏହି ପ୍ରସଙ୍ଗକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର। ଏହା ଭାବିବା ଉଚିତ ନୁହେଁ ଯେ ଭୂପିନ୍ଦର କାହିଁକି କହିଲା। ମୁଁ ଲୋକଙ୍କ ମତ କଥା କହୁଛି। ଆମେ ଯଦି ଲୋକଙ୍କ କଥାକୁ ଖାମଖିଆଲି ଭାବେ ନେବା, ତା’ହେଲେ ଦଳ ପାଇଁ କ୍ଷତି ହେବ।

Breaking News