ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡଖଣ୍ଡ ନିଯୁକ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ଭିତରେ ପୂର୍ବତନ JPSC ଅଧ୍ୟକ୍ଷ ଏଲ୍ ଖିଆଙ୍ଗଟେଙ୍କୁ ଗିରଫ କଲା ଝାଡ଼ଖଣ୍ଡ ସିଆଇଡି।JPSC ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସିଆଇଡି ଏଡିଜି ମନୋଜ କୌଶିକ ସୂଚନା ଦେଇଛନ୍ତି। ଖିଆଙ୍ଗଟେଙ୍କ ଗିରଫ ସହ ଏହି ମାମଲାରେ ଗିରଫ ସଂଖ୍ୟା ୨୦ରେ ପହଞ୍ଚିଛି। ଖିଆଙ୍ଗଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୨୫ ଫେବ୍ରୁଆରୀରେ ତାଙ୍କୁ JPSC ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ମାମଲାର ତଦନ୍ତ ଜୋରଦାର ହେବା ମଧ୍ୟରେ ଜୁଲାଇ ୨୨ରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସେ ସ୍ୱେଚ୍ଛାକୃତ ଭାବେ ପଦ ଛାଡ଼ିଥିବା ସେତେବେଳେ କହିଥିଲେ। ଇସ୍ତଫାର ପରଦିନ ଖିଆଙ୍ଗଟେଙ୍କ କାଙ୍କେ ରୋଡ୍ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ସିଆଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୁଲାଇ ୨୮ ପରଠାରୁ ତାଙ୍କୁ ଏକାଧିକ ଥର ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ଏହାପରେ ଏବେ ସିଆଇଡି ତାଙ୍କୁ ଗିରଫ କରିଛି। ୧୪ତମ JPSC କମ୍ବାଇନ୍ଡ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସିଆଇଡି ତଦନ୍ତ ଚଳାଇଛି। ୧୦୩ଟି ଗ୍ରୁପ୍-ଏ ଓ ଗ୍ରୁପ୍-ବି ପଦ ପାଇଁ ଏହାର ପ୍ରିଲିମିନାରୀ ପରୀକ୍ଷା ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପରିଚାଳନା ଦାୟିତ୍ୱ ଲକ୍ଷ୍ନୌସ୍ଥିତ TDPLକୁ ଦିଆଯିବା ପ୍ରକ୍ରିୟା ମଧ୍ୟ ସିଆଇଡି ତଦନ୍ତ ପରିସରଭୁକ୍ତ ହୋଇଛି।TDPL ପୂର୍ବରୁ ବ୍ଲାକ୍ଲିଷ୍ଟ ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ପରୀକ୍ଷା ପରିଚାଳନା ପାଇଁ ଠିକା ପ୍ରଦାନରେ ଲାଞ୍ଚ କାରବାର ଓ ନିୟମ ଉଲ୍ଲଂଘନ ହୋଇଥିବା ଗୁରୁତର ଅଭିଯୋଗର ସିଆଇଡି ତଦନ୍ତ କରୁଛି। ମାମଲାରେ ଗିରଫ ହୋଇଥିବା TDPL ମାର୍କେଟିଂ ମ୍ୟାନେଜର ଅଭୟ କୁମାର ତିୱାରୀ ତଦନ୍ତକାରୀଙ୍କ ନିକଟରେ ଖିଆଙ୍ଗଟେଙ୍କୁ ପ୍ରାୟ ୨ କୋଟି ଟଙ୍କା ଦିଆଯାଇଥିବା ନେଇ ବୟାନ ଦେଇଥିବା ରିପୋର୍ଟ ହୋଇଛି। ଏହି ଅଭିଯୋଗର ସତ୍ୟତା ନେଇ ତଦନ୍ତ ଚାଲିଛି। JPSC ନିଯୁକ୍ତି ପରୀକ୍ଷାକୁ ନେଇ ବିବାଦ ଓ ତଦନ୍ତ ମଧ୍ୟରେ ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା ଓ ଅନିୟମିତତାର ନିରପେକ୍ଷ ତଦନ୍ତ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ପୂର୍ବତନ JPSC ଅଧ୍ୟକ୍ଷଙ୍କ ଗିରଫ ପରେ ମାମଲା ଆହୁରି ଗୁରୁତ୍ୱ ଧାରଣ କରିଛି। ତଦନ୍ତ ଆଗକୁ ବଢ଼ିବା ସହ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।






More Stories
ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ରଖିବେ ଅମିତ ଶାହ…..
ଝାରଖଣ୍ଡ ସରକାର-ଛାତ୍ରନେତା ଆଲୋଚନା ବିଫଳ……