Report Card Odisha

| Daily Odia News

ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ,କଡ଼ା ସୁରକ୍ଷା ବଳୟରେ ଦିଲ୍ଲୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଦୁଇଦିନିଆ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ରାଷ୍ଟ୍ରମୁଖ୍ୟମାନେ ଆସି ପହଞ୍ଚି ସାରିଥିବା ବେଳେ ଆଜି ବିଶ୍ୱ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ହେବ ଶିଖର ସମ୍ମିଳନ । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି। ଆଜି ସକାଳେ ପ୍ରଥମେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲକମ୍ ସେରିମନି ହେବ। ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିବେ। ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ କିଛି ସମୟ ମିଳିବ ଦ୍ୱିପାକ୍ଷିକ ବୈଠକ ଲାଗି। ଏହା ପରେ ରାତି ୮ଟାରେ ରାତ୍ରୀ ଭୋଜନ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ବିଦେଶୀ ଅତିଥିଙ୍କ ଲାଗି ରାତ୍ର ଭୋଜନ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଏକ ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ରଖାଯାଇଛି। ଭାରତର ବିବିଧତା ପ୍ରଦର୍ଶନ ଲାଗି ଏହି ମ୍ୟୁଜିକାଲ ପ୍ରୋଗ୍ରାମରେ ଅନେକ ବିରଳ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ | ଯୁବ ସଂଗୀତଜ୍ଞ ଏବଂ ଦିବ୍ୟାଙ୍ଗ କଳାକାରମାନେ ଏଥିରେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ଭାରତ ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେଉଥିବା ବେଳେ ଏବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ। ବିଶ୍ୱସ୍ତରୀୟ ନେତାଙ୍କ ଆଗମନ ପାଇଁ ରାଜଧାନୀ ଦିଲ୍ଲୀ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି। ଦିଲ୍ଲୀରେ ପ୍ରଗତି ମଇଦାନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନିବାସ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଛି। ସମଗ୍ର ଦିଲ୍ଲୀରେ ସେନାଙ୍କୁ ନିୟୋଜିତ କରାଯାଇଛି। ପ୍ରତି ଛକରେ ତନ୍ନ ତନ୍ନ କରି ଗାଡ଼ି ମୋଟର୍ ଯାଞ୍ଚ ସହ ତନଖି କରାଯାଉଛି। ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ କଡା ଚେକିଂ କରାଯାଉଛି | ଦିଲ୍ଲୀ ଫରିଦାବାଦ ବର୍ଡରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। କୌଣସି ବି ଅଘଟଣ ଯେଭଳି ନଘଟେ ସେଥିପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି। ଦିଲ୍ଲୀ ପୋଲିସ ଓ ସେନା ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥଳପଥ ସହ ଆକାଶମାର୍ଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି |

 

 

Breaking News