Report Card Odisha

| Daily Odia News

ଗାଡ଼ିର ବୈଧ ପଞ୍ଜୀକରଣ ନଥିଲେ ବୀମା ଖାରଜ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗାଡ଼ିର ବୈଧ ପଞ୍ଜୀକରଣ ନଥିଲେ ବୀମା ଖାରଜ କରାଯିବାନେଇ ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ୟୁ ୟୁ ଲଳିତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ବୀମା ପଲିସିର ମୌଳିକ ସର୍ତ୍ତାବଳୀ ଉଲ୍ଲଂଘନ ହୋଇଥିଲେ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ। ଅସ୍ଥାୟୀ ପଞ୍ଜୀକରଣରେ ଚାଲୁଥିବା ଏକ ଗାଡ଼ି ଚୋରି ହେବା ପରେ ତାହାର ମାଲିକ ବୀମା କଂପାନି ଠାରୁ ଟଙ୍କା ପାଇବାକୁ ଦାବି କରିଥିଲେ। ଗାଡ଼ିର ମାଲିକ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ପଞ୍ଜାବରୁ ନିଜ ବୋଲେରୋ ଗାଡ଼ି ପାଇଁ ୬.୧୭ ଲକ୍ଷ ଟଙ୍କାର ବୀମା କରାଇଥିଲେ। ଗାଡ଼ିର ଅସ୍ଥାୟୀ ପଞ୍ଜୀକରଣ ଅବଧି ୨୦୧୧ ଜୁଲାଇ ୧୯ରେ ଶେଷ ହୋଇଥିଲା। ଯେହେତୁ ଗାଡ଼ିର ମାଲିକ ଜଣେ ଠିକାଦାର ଥିଲେ ତେଣୁ ଅନେକ ସମୟରେ ସେ ଗାଡ଼ିକୁ ନେଇ ସହର ବାହାରକୁ ଯାଉଥିଲେ। ୨୦୧୧ ଜୁଲାଇ ୨୮ରେ ଯୋଦ୍ଧପୁରରେ ରହଣୀ ସମୟରେ ହୋଟେଲ୍ ବାହାରୁ ତାଙ୍କ ଗାଡ଼ି ଚୋରି ହୋଇଯାଇଥିଲା। ସେ ଯୋଦ୍ଧପୁରରେ ଗାଡ଼ି ଚୋରିର ଏଫ୍‌ଆଇଆର୍‌ ରୁଜୁ କରିଥିଲେ। ଏହା ପରେ ବୀମା ରାଶି ପାଇବାକୁ ଦାବି ଉପସ୍ଥାପନ କରିଥିଲେ ଯାହାକୁ ୟୁନାଇଟେଡ୍ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କଂପାନି ଖାରଜ କରିଥିଲା। ଏହା ବିରୋଧରେ ଗାଡ଼ି ମାଲିକ ଜଣକ ରାଜସ୍ଥାନ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିସନଙ୍କ ବିକାନେର ସର୍କିଟ୍ ଖଣ୍ଡପୀଠରେ ଆବେଦନ କରିଥିଲେ। ତାଙ୍କୁ କଂପାନି ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗଙ୍କ ନିକଟରେ ଚ୍ୟାଲେଞ୍ଜ୍‌ କରି ବିଫଳ ହେବା ପରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଜାଣିବାକୁ ପାଇଥିଲେ ଯେ ଗାଡ଼ିଟି ଚୋରି ହେବା ସମୟରେ ତାହା ବୈଧ ପଞ୍ଜୀକରଣ ନଥିଲା। ତାହା ମୋଟର ଯାନ ନିୟମ ୧୯୮୮ର ଧାରା ୩୯ ଓ ୧୯୨ର ସ୍ପଷ୍ଟ ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ଏଥି ସହିତ ଜାତୀୟ କମିସନଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

Breaking News