ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ମଧ୍ୟ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି | ପୋଲିସ ଏନ୍କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି କରିଛନ୍ତି। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦର ମଧ୍ୟ ମୃତ୍ୟୁ ହୋଇଛି। ଡାକ୍ତରୀ ପରୀକ୍ଷା ଲାଗି ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ପୋଲିସ ଉପସ୍ଥିତିରେ ସେମାନଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ପରେ ପ୍ରୟାଗରାଜରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି କରାଯାଇଛି। ସୂଚନା ଅନୁସାରେ- ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୋଲିସ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ପ୍ରୟାଗରାଜରେ ହାଇଆଲର୍ଟ ଜାରି କରାଯିବା ସହିତ ଅତିରିକ୍ତ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି। ପ୍ରୟାଗରାଜ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକରେ ରାପିଡ୍ ଆକ୍ସନ ଫୋର୍ସ କୁ ମଧ୍ୟ ମୁତୟନ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ତିନି ଜଣିଆ ଜୁଡିସିଆଲ କମିଶନ ଘଟଣାର ତଦନ୍ତ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲେଖ ଯୋଗ୍ୟ- ଶନିବାର ରାତି ପ୍ରାୟ ୧୦ଟା ବେଳେ ପ୍ରୟାଗରାଜରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଥିଲା। ସେମାନଙ୍କୁ ପ୍ରୟାଗରାଜର ଏକ ଡାକ୍ତରଖାନାକୁ ଚେକ୍ଅପ୍ ପାଇଁ ନିଆଯାଇଥିଲା। ଦୁଇ ଭାଇଙ୍କୁ ପୋଲିସ ଜିପ୍ରୁ ଓହ୍ଲାଇ ଡାକ୍ତରଖାନାକୁ ନେଉଥିଲା। ଏହି ସମୟରେ ଉଭୟଙ୍କ ହାତରେ ହାତକଡ଼ି ପଡ଼ିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଦୁଇ ଭାଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ପଛରୁ ଗୁଳିମାଡ଼ ହୋଇଥିଲା। ପ୍ରଥମେ ଅତିକ ଟଳି ପଡ଼ିଥିଲେ। ତା’ପରେ ତାଙ୍କ ଭାଇ ଅଶରଫ। ସୁଟରମାନେ ସାମ୍ବାଦିକ ବେଶରେ ଆସି ଅଚାନକ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଗୁଳି ମାରିବା ପରେ ତିନି ସୁଟର ଜୟ ଶ୍ରୀରାମ ଧ୍ବନୀ ଦେବା ସହିତ ହାତ ଟେକି ଆତ୍ମସମର୍ପଣ କରିଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ପ୍ରୟାଗରାଜ ପୋଲିସ କହିଛି ଯେ ତିନି ଅଭିଯୁକ୍ତ ନିଜକୁ ଗଣମାଧ୍ୟମ ପ୍ରତିନିଧି କହି ସେଠାରେ ଉପସ୍ଥିତ ଥିଲେ ଓ ହଠାତ୍ ଗୁଳି ଚଳାଇଥିଲେ। ଏହି ଘଟଣା ବେଳେ ତଳେ ପଡ଼ି ଜଣେ ସାମ୍ବାଦିକ ଆହତ ହୋଇଥିବା ବେଳେ ଜଣେ କନଷ୍ଟେବଲଙ୍କ ଦେହରେ ଗୁଳି ବାଜିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..