Report Card Odisha

| Daily Odia News

ଫଳ ବୋଝେଇ ଟ୍ରକ୍‌ରେ ଯାଉଥିଲା ଗଞ୍ଜେଇ,ମାଡ଼ି ବସିଲା DRI……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫଳ ବୋଝେଇ ଟ୍ରକରେ ୮୦୮ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ୬୧ ଲକ୍ଷ ଟଙ୍କା ହେବ। ଫଳ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କୌଣସି ସୂତ୍ରରୁ ଖବର ପାଇଥିଲା । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରା ଚାଲାଣ କରାଯାଉଥିବା ଗଞ୍ଜେଇକୁ ଧରିବାକୁ ଜାଲ ବିଛାଇଥିଲା । ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଛକି ରହିଥିଲେ । ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା ଦେଇ ଯାଇଥିଲା । ଏକ କାର୍‌ ତାକୁ ଏସ୍କର୍ଟ ଦେଇ ଆଣୁଥିଲା । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍‌କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେମାନେ DRIର କର୍ମଚାରୀଙ୍କୁ ଦେଖି ଦ୍ରୁତ ଗତିରେ ଗାଡ଼ି ଚଲାଇଥିଲେ। ପରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଟ୍ରକ୍ ଓ କାରକୁ ପିଛା କରିଥିଲେ। ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କ୍ରିଷ୍ଣାଭରମ୍ ଟୋଲଗେଟକୁ ଧକ୍କା ଦେଇଥିଲା। ପରେ କାରଟି ମଧ୍ୟ ସେଠାରେ ଅଟକି ଯାଇଥିଲା। କର୍ମଚାରୀମାନେ କାର୍‌ ଓ ଟ୍ରକ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଟ୍ରକ୍ ଓ କାର୍‌ରୁ ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲେ। ପ୍ରାୟ ୮୦୮.୧୮ କେଜି ଗଞ୍ଜେଇ ଜବତ କରାଯାଇଥିଲା। DRI ପକ୍ଷରୁ କାର୍ ଓ ଫଳ ବୋଝେଇ ଟ୍ରକ୍‌କୁ ଜବତ କରାଯାଇଛି ଓ ଘଟଣାର ତଦନ୍ତ କରାଯାଉଛି।

Breaking News