Report Card Odisha

| Daily Odia News

ଛାତ୍ରଛାତ୍ରୀଙ୍କ ସ୍କୁଲ ଷ୍ଟାଇପେଣ୍ଡ ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡର ସୁବିଧା ପାଇବେ । ଆଜି ଏନେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୂଚନା ଅନୁସାରେ, ଦରଦାମ ବୃଦ୍ଧି ଓ ଦୈନନ୍ଦିନ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ ହଷ୍ଟେଲ ଅନ୍ତେବାସୀ ଓ ଡେ-ସ୍କଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ ସ୍କଲାରସିପ୍ ପରିମାଣକୁ ବୃଦ୍ଧି କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରସିପ୍ ଲାଗୁ ହେବ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଛାତ୍ରାବାସରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାସିକ ସ୍କଲାରସିପ୍ ଅର୍ଥରେ ୧୦୦ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ଝିଅମାନଙ୍କୁ ମାସିକ ୧୧୦୦ଟଙ୍କା ଓ ପୁଅଙ୍କୁ ୧୦୫୦ଟଙ୍କାର ସ୍କଲାରସିପ୍ ୧୦ମାସ ପର୍ଯ୍ୟନ୍ତ ମିଳିବ । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଡେ-ସ୍କଲାର ଛାତ୍ରଛାତ୍ର (ଷଷ୍ଠ ଓ ସପ୍ତମ ଶ୍ରେଣୀ)ଙ୍କୁ ବାର୍ଷିକ ୫୦୦ ଟଙ୍କା ସ୍କଲାରସିପ୍ ମିଳିବ । ଏବେ ଏହା ପୁଅଙ୍କ ପାଇଁ ୧୮୦ଟଙ୍କା ଓ ଝିଅଙ୍କ ପାଇଁ ୨୪୦ଟଙ୍କା ରହିଛି । ମାତ୍ର ସଂଶୋଧିତ ନିଷ୍ପତ୍ତି ଅନୁସାରେ ଉଭୟ ପୁଅ ଓ ଝିଅ ସମାନ ଭାବେ ୫୦୦ଟଙ୍କା ଷ୍ଟାଇପେଣ୍ଡ ପାଇବେ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

Breaking News