ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ୨ ବର୍ଷ ପରେ ଚାଳିତଥର ରଥ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ। ଏହି ସମୟରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବେଶ୍ ସତର୍କତା ଅବଲମ୍ବନ କରିବାକୁ ସୂଚାଇ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରଥ ଯାତ୍ରା ସମୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଥିବାରୁ ଆମେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ। ଏଥିନିମନ୍ତେ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। କେବଳ କୋଭିଡ ନୁହେଁ, ଏହି ସମୟରେ ଝାଡ଼ାବାନ୍ତି ପରି ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ସମସ୍ତେ ଯତ୍ନବାନ ରହିବା ଉଚିତ। ରଥ ଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି ପୁରୀ ଷ୍ଟେସନ, ବସ୍ଷ୍ଟାଣ୍ଡ ଓ ବଡ଼ଦାଣ୍ଡରେ ହେଲଥ୍ କ୍ୟାମ୍ପ ଖୋଲାଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହି ସମୟରେ ଅନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ସ୍ୱଚ୍ଛ ପାଣି ପିଇବା ସହ, ଭଲ ଖାଦ୍ୟ ଖାଇବାକୁ ଉପଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ଟ୍ରେଣ୍ଡ ୨ ଅଙ୍କରେ ରହିଛି। ତେଣୁ ଏବେଠୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।






More Stories
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..
ଆସାମରେ ନିର୍ବାଚନ ପ୍ରଚାର କଲେ ମୋହନ…..
ଆଉ ଖୋଲାରେ ମିଳିବନି ଗ୍ୟାସ୍……